ଭଞ୍ଜନଗରରେ ‘ସୁରକ୍ଷିତ ବାଲ୍ୟକାଳ ଅଭିଯାନ’ ଓ ‘ନାଲସା ଡନ୍’ ଆଇନ ସଚେତନତା କାର୍ଯ୍ୟକ୍ରମ: ଶିଶୁ ଅଧିକାର ଓ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଶିଶୁମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା, ସେମାନଙ୍କୁ ଯୌନ ଶୋଷଣ ଓ ବିଭିନ୍ନ ପ୍ରକାର ନିର୍ଯାତନାରୁ ରକ୍ଷା କରିବା ସହ ଏକ ସୁରକ୍ଷିତ, ସୁସ୍ଥ ଏବଂ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭଞ୍ଜନଗରସ୍ଥିତ ଐତିହାସିକ ପି.ଏମ୍. ଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟି (TLSC), ଭଞ୍ଜନଗର ପକ୍ଷରୁ ‘ସୁରକ୍ଷିତ ବାଲ୍ୟକାଳ ଅଭିଯାନ’ (Surakshit Bachpan Abhiyan) ଏବଂ ମାଦକଦ୍ରବ୍ୟମୁକ୍ତ ଭାରତ ପାଇଁ ନିଶାଦ୍ରବ୍ୟ ସଚେତନତା ଓ ସୁସ୍ଥତା ମାର୍ଗଦର୍ଶନ ଅଭିଯାନ ବା ‘ନାଲସା ଡନ୍ ଫୋର୍ଟନାଇଟ୍’ (NALSA DAWN Fortnight) ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ସଫଳତାର ସହ ଆୟୋଜିତ ହୋଇଥିଲା।
ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ସେଖ୍ ମହମ୍ମଦ କଏସଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ସିନିୟର ସିଭିଲ୍ ଜଜ୍ ଶ୍ରୀ ଦେବାଶିଷ ବିଶୋଇ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୁଶ୍ରୀ ଭିୟେନା ନାୟକ, ତାଲୁକ ଆଇନ ସେବା କମିଟିର ସଦସ୍ୟ ଡଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଦସ୍ୟା ତଥା ଆଇନଜୀବୀ ଶ୍ରୀମତୀ ଅଳକା ମଞ୍ଜରୀ ପଟ୍ଟନାୟକ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ସଭାପତିତ୍ୱ ଅଭିଭାଷଣରେ ଅଧ୍ୟକ୍ଷ ଶ୍ରୀ ସେଖ୍ ମହମ୍ମଦ କଏସ କହିଥିଲେ ଯେ, ଶିଶୁମାନଙ୍କ ସୁରକ୍ଷା ଓ ଅଧିକାର ରକ୍ଷା କରିବା କେବଳ ଆଇନର ପରିସରଭୁକ୍ତ ନୁହେଁ, ବରଂ ଏହା ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କ ନୈତିକ ଓ ସାମାଜିକ ଦାୟିତ୍ୱ। ଶିଶୁମାନଙ୍କ ପ୍ରତି ହେଉଥିବା ଯେକୌଣସି ଅନ୍ୟାୟ, ଶୋଷଣ ଓ ନିର୍ଯାତନାକୁ ରୋକିବା ପାଇଁ ପ୍ରଚଳିତ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସମସ୍ତେ ଅବଗତ ହେବା ଜରୁରୀ। ବିଶେଷକରି ଛାତ୍ରଛାତ୍ରୀମାନେ ନିଜର ଯେକୌଣସି ସମସ୍ୟାକୁ ମନରେ ଚାପି ନରଖି ନିର୍ଭୟରେ ପ୍ରକାଶ କରିବା ଉଚିତ ଏବଂ କୌଣସି ପ୍ରକାର ଅସଦାଚରଣର ଶିକାର ହେଲେ ତୁରନ୍ତ ନିଜ ଅଭିଭାବକ ଓ ଶିକ୍ଷକମାନଙ୍କୁ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ନିଶାଦ୍ରବ୍ୟଠାରୁ ଦୂରେଇ ରହି ଏକ ସୁସ୍ଥ ସମାଜ ଗଠନ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଶିକ୍ଷାର ଅଧିକାର ଓ ସାମାଜିକ କୁପ୍ରଥାକୁ
ସିନିୟର ସିଭିଲ୍ ଜଜ୍ ଶ୍ରୀ ଦେବାଶିଷ ବିଶୋଇ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ମୌଳିକ ଓ ଆଇନଗତ ଅଧିକାର, ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ଏବଂ ସେମାନଙ୍କ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ଓ ବାଲ୍ୟ ବିବାହ ଭଳି ଘୃଣ୍ୟ ସାମାଜିକ କୁପ୍ରଥାକୁ ମୂଳୋତ୍ପାଟନ କରିବା ପାଇଁ କେବଳ ପ୍ରଶାସନ ନୁହେଁ, ବରଂ ସମାଜର ସମସ୍ତ ବର୍ଗର ଲୋକଙ୍କ ମିଳିତ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ପୋକ୍ସୋ ଆଇନ ଓ ଭଲ-ଖରାପ
ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୁଶ୍ରୀ ଭିୟେନା ନାୟକ ଛାତ୍ରୀମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ନିମନ୍ତେ ପ୍ରଣୀତ କଠୋର ‘ପୋକ୍ସୋ ଆଇନ-୨୦୧୨’ (POCSO Act, 2012) ର ବିଭିନ୍ନ ଦିଗ ଓ ଦଣ୍ଡବିଧାନ ସମ୍ପର୍କରେ ସରଳ ଭାଷାରେ ବୁଝାଇଥିଲେ। ସେ ବିଶେଷକରି ‘ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ’ (Good Touch and Bad Touch) ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟ କିପରି ଚିହ୍ନିବେ, ନିଜ ଶରୀରର ବ୍ୟକ୍ତିଗତ ସୁରକ୍ଷା (Personal Safety) କିପରି ରକ୍ଷା କରିବେ ଏବଂ କୌଣସି ଅସ୍ୱାଭାବିକ ବା ଅପ୍ରୀତିକର ଘଟଣା ଘଟିଲେ ଭୟଭୀତ ନହୋଇ ତୁରନ୍ତ ଅଭିଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ତାଲୁକ ଆଇନ ସେବା କମିଟିର ସଦସ୍ୟ ଡଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ନିଜ ଉଦ୍ବୋଧନରେ ଶିଶୁମାନଙ୍କ ଶାରୀରିକ, ମାନସିକ ଓ ନୈତିକ ବିକାଶରେ ପରିବାର, ବିଦ୍ୟାଳୟ ଏବଂ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଶିଶୁମାନଙ୍କୁ ଏକ ସୁସ୍ଥ ପରିବେଶ, ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସଂସ୍କାର ପ୍ରଦାନ କରିବା ସହ ବଡ଼ମାନେ ସେମାନଙ୍କ ସମସ୍ୟା ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ସେ ଆହ୍ୱାନ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ତାଲୁକ ଆଇନ ସେବା କମିଟିର ସଦସ୍ୟା ତଥା ଆଇନଜୀବୀ ଶ୍ରୀମତୀ ଅଳକା ମଞ୍ଜରୀ ପଟ୍ଟନାୟକ ଅତି ସୁଚାରୁ ରୂପେ ସଂଯୋଜନା ଓ ପରିଚାଳନା କରିଥିଲେ। ଏହି ସଚେତନତା ଶିବିରରେ ବିଦ୍ୟାଳୟର ଶତାଧିକ ଛାତ୍ରୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ପରିଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଶ୍ୟାମ ପ୍ରସାଦ ମିଶ୍ର ଉପସ୍ଥିତ ଅତିଥି ଓ ଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।