ବରଗଡ଼: ବରଗଡ଼ ଜିଲ୍ଲା ଘେଁସ ଜମିଦାର ତଥା ମହାନ ବିପ୍ଳବୀ ମାଧୋ ସିଂହଙ୍କ ଇତିହାସକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ୭ମ ଶ୍ରେଣୀର “ସାହିତ୍ୟ ସୁମନ” ପାଠ୍ୟପୁସ୍ତକରେ ସ୍ଥାନ ଦିଆଯାଇଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ମାଧୋ ସିଂହଙ୍କ ସଂଗ୍ରାମମୟ ଇତିହାସ ସମ୍ମିଳିତ ହେବାକୁ ଘେଁସସ୍ଥିତ ସହିଦ କୁଞ୍ଜେଲ ସିଂହ କ୍ଲବ୍, ଅଭିମନ୍ୟୁ ସାହିତ୍ୟ ସଂସଦ ଏବଂ ଗ୍ରାମବାସୀମାନେ ସ୍ବାଗତ କରିଥିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ପାଠ୍ୟରେ ଅନେକ ଐତିହାସିକ ତଥ୍ୟଗତ ଓ ବନାନଗତ ତ୍ରୁଟି ଥିବା ନେଇ ବୁଦ୍ଧିଜୀବୀ ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଅଭିଯୋଗ ଅନୁସାରେ, ଅପରିପକ୍ବ ଭାବେ ପ୍ରସ୍ତୁତ ହୋଇଥିବା ଏହି ଲେଖାରେ ଘେଁସ ଗ୍ରାମର ଭୌଗୋଳିକ ଅବସ୍ଥିତି, ମାଧୋ ସିଂହଙ୍କ ପରିବାର ଓ ସମ୍ପର୍କୀୟଙ୍କ ସମ୍ବନ୍ଧୀୟ ତଥ୍ୟକୁ ଭୁଲ୍ ଭାବେ ଦର୍ଶାଯାଇଛି।ଏହାସହ ବହୁ ସ୍ଥାନରେ ବନାନ ତ୍ରୁଟି ମଧ୍ୟ ରହିଥିବା କୁହାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତ୍ରୁଟି ହେଉଛି ମାଧୋ ସିଂହଙ୍କ ଫାଶୀ ଦିବସକୁ ଭୁଲ୍ ଭାବେ ଉଲ୍ଲେଖ କରାଯିବା। ଇତିହାସ ଅନୁସାରେ ୧୮୫୮ ମସିହା ଡିସେମ୍ବର ୩୧ ତାରିଖରେ ମାଧୋ ସିଂହଙ୍କୁ ଫାଶୀ ଦିଆଯାଇଥିଲା। ୧୯୯୭ ମସିହାରୁ ପ୍ରତିବର୍ଷ ଡିସେମ୍ବର ୩୧କୁ ଓଡ଼ିଶା ସରକାର “ରାଜ୍ୟସ୍ତରୀୟ ବୀରତା ଦିବସ” ଭାବେ ପାଳନ କରି ଆସୁଛନ୍ତି। ତେବେ ଏପରି ଗୁରୁତର ତ୍ରୁଟି ପାଠ୍ୟପୁସ୍ତକରେ ରହିବାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ମାଧୋ ସିଂହଙ୍କ ଇତିହାସ ସମ୍ବନ୍ଧରେ ଅବଗତ ଅଭିଜ୍ଞ ଓ ଗବେଷକ ଗୋଷ୍ଠୀଙ୍କ ଦ୍ବାରା ପାଠ୍ୟଟିକୁ ପୁନଃ ପ୍ରସ୍ତୁତ କରାଯାଇ ପିଲାମାନଙ୍କୁ ନିର୍ଭୁଲ୍ ଇତିହାସ ପଢ଼ାଇବାକୁ ଦାବି ହୋଇଛି। ପଦ୍ମଶ୍ରୀ ହଳଧର ନାଗ , ସହିଦ କୁଞ୍ଜେଲ ସିଂହ କ୍ଲବ୍ର ସଭାପତି ଅଶୋକ ପୂଝାରୀ , ଅଭିମନ୍ୟୁ ସାହିତ୍ୟ ସଂସଦର ସଭାପତି ସୁଶାନ୍ତ ମିଶ୍ର ଓ ମାଧୋ ସିଂହଙ୍କ ବଂଶଜ ଲୋକେଶ୍ୱର ସିଂହ ବରିହା ପ୍ରମୁଖ ଏହି ଦାବି କରିଛନ୍ତି। ଏ ସମ୍ବନ୍ଧରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସୂଚନାଯୋଗ୍ୟ ଯେ, ୧୮୫୭ ମସିହାର ସିପାହି ବିଦ୍ରୋହର ବହୁ ପୂର୍ବରୁ ଘେଁସ ଜମିଦାରଙ୍କ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଇଂରାଜ ଶାସକମାନଙ୍କୁ ବିବ୍ରତ କରିଥିଲା।ମାଧୋ ସିଂହ ଓ ତାଙ୍କ ପରିବାରର ସଂଗ୍ରାମ ଓ ବଳିଦାନର କାହାଣୀ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବିରଳ ଓ ଅନନ୍ୟ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି। ଯଥାଯଥ ଗବେଷଣା ଓ ସଠିକ୍ ତଥ୍ୟ ସହ ଏହି ଇତିହାସକୁ ଉପସ୍ଥାପନ କରାଗଲେ ଓଡ଼ିଶା ସହ ଭାରତର ଇତିହାସ ଅଧିକ ସମୃଦ୍ଧ ହେବ ବୋଲି ସେମାନେ କହିଛନ୍ତି।ତେଣୁ ପିଲାମାନେ ଭୁଲ୍ ଇତିହାସ ପଢ଼ିବା ପୂର୍ବରୁ ସରକାର ଯଥାଶୀଘ୍ର ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ କରି ନିର୍ଭୁଲ୍ ତଥ୍ୟ ସହିତ ପୁନଃ ପ୍ରକାଶ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.