ଓଡ଼ଗାଁ, ୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅନ୍ତର୍ଗତ ପଶୁ ଡାକ୍ତରଖାନା ସମ୍ମୁଖ ଖଜୁରିଆ ରାସ୍ତାରୁ ନିର୍ମାଣାଧୀନ ଅଟଳ ବସ୍ଷ୍ଟାଣ୍ଡକୁ ସଂଯୋଗ କରୁଥିବା ନୂତନ ରାସ୍ତା ନିର୍ମାଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ରାସ୍ତା ନିର୍ମାଣ ପାଇଁ ସ୍ଥାନ ଅଭାବ ଦେଖାଦେବାରୁ କେତେକ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରି ବସ୍ଷ୍ଟାଣ୍ଡର ପ୍ରାଚୀର ନିର୍ମାଣକୁ ମଧ୍ୟ ଅଟକାଇଥିଲେ। ସମସ୍ୟାର ସମାଧାନ ପାଇଁ ଗୁରୁବାର ସ୍ଥାନୀୟ ପ୍ରଶାସନ ଓ ଓଏସଆରଟିସିର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲା। ପରେ ଶୁକ୍ରବାର ବିବାଦୀୟ ସ୍ଥାନର ସଠିକ୍ ମାପଚୁପ କରାଯାଇଥିଲା। ଓଡ଼ଗାଁ ତହସିଲଦାର ଡ଼. ମାନସ ରଞ୍ଜନ ଭୋଇଙ୍କ ନେତୃତ୍ୱରେ ଏନଏସି ଅଧିକାରୀ ନିହାର ରଞ୍ଜନ ବେହେରା, ରାଜସ୍ୱ ସୁପରଭାଇଜର ସୁବାସ ଚନ୍ଦ୍ର ମିଶ୍ର, ରାଜସ୍ୱ ନିରୀକ୍ଷକ ମାନସ ମଲ୍ଲିକ, ନିରଞ୍ଜନ ସାମନ୍ତସିଂହାର ଓ ଅମିନ ମନୋଜ ଦଳେଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଜମିର ମାପଚୁପ କରିଥିଲେ। ମାପଚୁପ ପରେ ଜଣାପଡ଼ିଛି ଯେ, ପ୍ଲଟ୍ ନମ୍ବର ୨୧୪୪/୪୭ର ୭ ଡେସିମିଲି ସରକାରୀ ଜମି ଉପରେ ରାସ୍ତା ପାର୍ଶ୍ୱରେ ଏକ କୋଠା ନିର୍ମାଣ ହୋଇଛି। ଯଦିଓ ସେହି କୋଠାରେ ବସବାସ କରୁଥିବା ରୁକୁଣା ମଣ୍ଡଳଙ୍କ ସ୍ୱାମୀ ପ୍ରଫୁଲ୍ଲ ମଣ୍ଡଳଙ୍କ ନାମରେ ପ୍ଲଟ୍ ନମ୍ବର ୨୧୪୨/୪୩ରେ ୯.୫ ଡେସିମିଲି ଜମି ରେକର୍ଡ ଥିବା ଜଣାଯାଇଛି।
ଜମିର ପ୍ରକୃତ ସ୍ଥିତି ସ୍ପଷ୍ଟ ହେବା ପରେ ସରକାରୀ ଜମି ଉପରେ ଥିବା କୋଠା ହଟିଲେ ରାସ୍ତା ନିର୍ମାଣରେ ଥିବା ପ୍ରତିବନ୍ଧକ ଦୂର ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରୁକୁଣା ମଣ୍ଡଳଙ୍କ ପରିବାର ସେମାନେ ସଠିକ୍ ସ୍ଥାନରେ ଘର ନିର୍ମାଣ କରିଥିବା ଦାବି କରିଛନ୍ତି।
ରୁକୁଣା ମଣ୍ଡଳଙ୍କ ଅନୁରୋଧକ୍ରମେ ସଠିକ୍ ନିର୍ମାଣ ସ୍ଥାନ ସମ୍ପର୍କରେ ପ୍ରମାଣ ଦାଖଲ ପାଇଁ ତହସିଲଦାର ତାଙ୍କୁ ଦୁଇଦିନ ସମୟ ଦେଇଥିବା ଜଣାପଡ଼ିଛି। ଏହାପରେ ବିବାଦର ସ୍ଥାୟୀ ସମାଧାନ ହେବା ସହ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.
Prev Post