ପରିଆ ଗ୍ରାମ ଆମ୍ବେଦକର ନଗରରେ ଜଳ ସଙ୍କଟ ଚରମସୀମାରେ, ପ୍ରଶାସନର ନୀରବତାକୁ ନେଇ ତୀବ୍ର ଅସନ୍ତୋଷ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସରକାର ଗାଁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ବସୁଧା ଯୋଜନା କାର୍ଯ୍ୟକରୀ କରୁଥିବାବେଳେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଛେଲିଆମାଳ ପଞ୍ଚାୟତର ପରିଆ ଗ୍ରାମ ସ୍ଥିତ ଆମ୍ବେଦକର ନଗର ଡମ ପଡ଼ାର ଚିତ୍ର ସରକାରୀ ଯୋଜନାର ବାସ୍ତବତାକୁ ପଦାରେ ପକାଇଛି। ଯୋଜନା ଅନୁଯାୟୀ ପାଇପ ବିଛାଯାଇଛି, ଟ୍ୟାପ୍ ଲାଗିଛି, କାମ ଶେଷ ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି, ହେଲେ ଆଜିବି ଗ୍ରାମବାସୀଙ୍କୁ ବୁନ୍ଦେ ପାଣି ପାଇଁ ହନ୍ତସନ୍ତ ହେବାକୁ ପଡୁଛି।
ସବୁଠାରୁ ଦୁଃଖଦ ବିଷୟ ହେଲା, ଗ୍ରାମର କିଛି ଅଞ୍ଚଳକୁ ପାଣି ଯୋଗାଣ ହେଉଥିବାବେଳେ ଆମ୍ବେଦକର ନଗର ଡମ ପଡ଼ାକୁ ଜାଣିଶୁଣି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଲୋକମାନେ ବାଧ୍ୟ ହୋଇ ପାଖରେ ଥିବା ନଦୀର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି। ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାନୀୟ ଜଳ ପାଇଁ ମହିଳାମାନେ ଦୂରଦୂରାନ୍ତରେ ଦୌଡ଼ିବାକୁ ପଡୁଥିବାବେଳେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ମହିଳାମାନଙ୍କ ଅଭିଯୋଗ ଅନୁସାରେ, “ଆମ ଗାଁରେ ବସୁଧା ଯୋଜନା ଅଛି। ପାଇପ ବିଛାଯାଇଛି, ଟ୍ୟାପ୍ ମଧ୍ୟ ଲାଗିଛି। ହେଲେ ଆମ ପଡ଼ାକୁ ପାଣି ଦିଆଯାଉନାହିଁ। ଗାଁର ତଳ ପଡ଼ା ବାସୀଙ୍କୁ ପାଣି ମିଳୁଥିବାବେଳେ ଆମେ କାହିଁକି ବଞ୍ଚିତ ହେବୁ?” ବୋଲି ପ୍ରଶ୍ନ କରିଛନ୍ତି।
ଏପରିକି ପାଣି ପାଇଁ ତଳ ପଡ଼ାକୁ ଗଲେ ସେଠାରେ ମଧ୍ୟ ଅପମାନ ସହିବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। “ଆମକୁ ଅଣ୍ଟୁଣି କହି ପାଣି ଦେବାକୁ ସଫା ସଫା ମନା କରାଯାଉଛି। ଏହା କେବଳ ଜଳ ସମସ୍ୟା ନୁହେଁ, ସାମାଜିକ ଅବହେଳା ଓ ଅସ୍ପୃଶ୍ୟତାର ଜ୍ୱଳନ୍ତ ଚିତ୍ର” ବୋଲି ସେମାନେ କହିଛନ୍ତି।
ଗ୍ରାମବାସୀମାନେ ଏହି ସମସ୍ୟାକୁ ନେଇ ପଞ୍ଚାୟତ, ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ କରାଯାଇନଥିବା ଅଭିଯୋଗ ହୋଇଛି। ସରକାର “ପ୍ରତ୍ୟେକ ଘରକୁ ପାଣି” ନାରା ଦେଉଥିବାବେଳେ ଆମ୍ବେଦକର ନଗରର ଏହି ଅବସ୍ଥା ପ୍ରଶାସନିକ ବିଫଳତାକୁ ସ୍ପଷ୍ଟ କରୁଛି।
ଏହି ପରିପ୍ରେକ୍ଷୀରେ ପରିଆ ଗ୍ରାମର ଆମ୍ବେଦକର ନଗର ଡମ ପଡ଼ା ବାସୀ ଚେତାବନୀ ଦେଇଛନ୍ତି ଯେ, ଯଦି ଅବିଳମ୍ବେ ସେମାନଙ୍କ ପାଇଁ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ନକରାଯାଏ, ତେବେ ସେମାନେ ବାଧ୍ୟ ହୋଇ ଧାରଣା ଓ ଆନ୍ଦୋଳନର ପଥ ବାଛିବେ।
ଏବେ ଦେଖିବାକୁ ବାକି ରହିଲା, ଖବର ପ୍ରସାରଣ ପରେ ପ୍ରଶାସନ କେତେ ସକ୍ରିୟ ହେଉଛି ଓ ଏହି ଅବହେଳିତ ପଡ଼ାର ଲୋକଙ୍କୁ କେବେ ମିଳୁଛି ମୌଳିକ ଅଧିକାର — ଶୁଦ୍ଧ ପାନୀୟ ଜଳ।