ଗୋଡ଼ିପଡ଼ା ଉତ୍କଳ ପବ୍ଲିକ ସ୍କୁଲର ପଞ୍ଚଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0 2

ଓଡ଼ଗାଁ, ୫।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଡ଼ାସ୍ଥିତ ଉତ୍କଳ ପବ୍ଲିକ ସ୍କୁଲର ପଞ୍ଚଦଶତମ ବାର୍ଷିକ ଉତ୍ସବ ସୋମବାର ବିଦ୍ୟାଳୟ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ସଭାପତି ଶରତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷାବିତ, ସ୍ତମ୍ଭକାର ତଥା ନୟାଗଡ଼ ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ମାନସ ରଞ୍ଜନ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷାପରିଷଦ ସଭାପତି ତଥା ଶିକ୍ଷାବିତ ପ୍ରଶାନ୍ତ କୁମାର ଦାଶ, ସ୍ଥାନୀୟ ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ଓ ଗୋଡ଼ିପଡ଼ା ସିଆରସିସି ବିଜୟ କୁମାର ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବାର୍ଷିକ ଉତ୍ସବ ଶିଶୁମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭା ଓ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଏକ ସୁନ୍ଦର ମଞ୍ଚ। ଏହା ଶିକ୍ଷା ସହିତ ସେମାନଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ। ସ୍କୁଲର ସମ୍ପାଦିକା ତଥା ଅଧ୍ୟକ୍ଷା ରଞ୍ଜିତା ରାଣୀ ଷଢଙ୍ଗୀ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ଆଭିମୁଖ୍ୟ ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶ୍ୱେତ କୁମାର ମିଶ୍ର ଓ ଦୁର୍ଗାପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ କଣ୍ଠସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନୋମୁଗ୍ଧ କରିଥିଲେ। ଶେଷରେ ଶିକ୍ଷକ ଶ୍ରବଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.