ଭୁବନେଶ୍ୱର | ୨ ମଇ ୨୦୨୬: ବିଶ୍ୱ ଏଙ୍କିଲୋଜିଂ ସ୍ପୋଣ୍ଡିଲାଇଟିସ୍ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ଓଡିଶା ଆର୍ଥ୍ରାଇଟିସ୍ ଏବଂ ରିୟୁମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (OARFT) ପକ୍ଷରୁ ଏକ ବ୍ୟାପକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ସହିଦ ନଗରକୁ କେନ୍ଦ୍ର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଭାଗୀଦାରି ଲକ୍ଷଣୀୟ ଥିଲା।
ଏଙ୍କିଲୋଜିଂ ସ୍ପୋଣ୍ଡିଲାଇଟିସ୍ (ଏ.ଏସ୍.) ଏକ ଦୀର୍ଘସ୍ଥାୟୀ ରିୟୁମାଟିକ୍ ରୋଗ, ଯାହା ଧୀରେ ଧୀରେ ମେରୁଦଣ୍ଡକୁ କଠିନ କରି ଦୈନିକ ଚଳାଚଳକୁ ପ୍ରଭାବିତ କରେ। ଯୁବବର୍ଗ ମଧ୍ୟରେ ଏହା ଅଧିକ ଦେଖାଯାଉଥିବା ସତ୍ତ୍ୱେ ମଧ୍ୟ ସମୟରେ ଚିହ୍ନଟ ନହେବା ଏକ ଚିନ୍ତାଜନକ ପରିସ୍ଥିତି। ଭୁଲ ଧାରଣା ଓ ସୂଚନାର ଅଭାବ ଯୋଗୁଁ ଅନେକ ରୋଗୀ ଦୀର୍ଘ ସମୟ ଯନ୍ତ୍ରଣାରେ ରହିଥାନ୍ତି।
ବିଶେଷଜ୍ଞମାନେ ଜଣାଇଥିଲେ ଯେ, ଦୀର୍ଘ ସମୟ ଧରି ରହୁଥିବା ପିଠି ଯନ୍ତ୍ରଣା, ସକାଳେ କଠିନତା ଓ ଚଳନରେ ଅସୁବିଧା ଏହି ରୋଗର ପ୍ରମୁଖ ଲକ୍ଷଣ ହୋଇପାରେ। ଏପରି ଲକ୍ଷଣ ଦେଖାଦେଲେ ଶୀଘ୍ର ରିୟୁମାଟୋଲୋଜିଷ୍ଟଙ୍କ ସହ ଯୋଗାଯୋଗ କରିବାକୁ ସେମାନେ ପରାମର୍ଶ ଦେଇଥିଲେ।ଏହି ଅଭିଯାନର ଅଂଶ ଭାବେ ଏକ ସଚେତନତା ୱାକାଥନ୍ ଆୟୋଜିତ ହୋଇଥିଲା, ଯାହା ସହିଦ ନଗରରୁ ରୁପାଲି ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ସାଧାରଣ ଲୋକଙ୍କ ମଧ୍ୟରେ ସୁସ୍ଥ ଜୀବନ ଓ ସମୟୋପଯୁକ୍ତ ଚିକିତ୍ସାର ସନ୍ଦେଶ ପ୍ରଚାର କରିଥିଲା। ଓଏଆରସିର ମେଡିକାଲ୍ ନିର୍ଦ୍ଦେଶକ ତଥା ରାଜ୍ୟର ଜଣେ ଖ୍ୟାତନାମା ରିଉମାଟୋଲୋଜିଷ୍ଟ୍ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡା ଓ ଓଏଆରସି ଶୈଳଶ୍ରୀ ବିହାର ଶାଖାର ମୁଖ୍ୟ ପରାମର୍ଶଦାତା, ରିଉମାଟୋଲୋଜିଷ୍ଟ୍ ଡାକ୍ତର ଦେବାଶିଷ ମାଇକାପ୍ ଏହି ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଏହାର ଚିକିତ୍ସାରେ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ୱାକାଥନର ଉଦଘାଟନ ଭାରତୀୟ ଚିକିତ୍ସକ ସଂଘ (ଓଡିଶା ଶାଖା) ର ସଭାପତି ଡାକ୍ତର ଭରତ ପାଣିଗ୍ରାହୀ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିକିତ୍ସକ ଓ ଭାରତୀୟ ରିୟୁମାଟୋଲୋଜି ସଂଘ (ଓଡିଶା ଶାଖା)ର ପୂର୍ବତନ ସଭାପତି ଡାକ୍ତର ମନୋଜ ଛୋଟରାୟ, ଆମ୍ ଆଦମୀ ପାର୍ଟି (AAP) ଓଡିଶାର ସଂଯୋଜକ ଶ୍ରୀ ନିଶିକାନ୍ତ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ଗିରିଜା ଶଙ୍କର ଦାଶ ଉପସ୍ଥିତ ରହି ଲୋକମାନଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରିଥିଲେ।କାର୍ଯ୍ୟକ୍ରମରେ ଚିକିତ୍ସକ, ସାମାଜିକ ବ୍ୟକ୍ତିତ୍ୱ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଏହି ରୋଗ ସମ୍ପର୍କରେ ସଚେତନତା ବଢ଼ାଇବାରେ ଜୋର ଦେଇଥିଲେ। ଆୟୋଜକମାନଙ୍କ କହିବା ଅନୁସାରେ, ଏପରି ପ୍ରୟାସ ମାଧ୍ୟମରେ ସମାଜରେ ସଚେତନତା ବଢ଼ିଲେ ଅନେକ ଲୋକ ସମୟରେ ଚିକିତ୍ସା ପାଇ ଭଲ ଜୀବନଯାପନ ପାରିବେ।
Sign in
Sign in
Recover your password.
A password will be e-mailed to you.