ପ୍ରଧାନମନ୍ତ୍ରୀଙ୍କ ଟ୍ରଫି ପୁରସ୍କାର ଉତ୍ସବରେ ଆରଏସପିକୁ  ସ୍ଵତନ୍ତ୍ର ପୁରସ୍କାର

0

   ପ୍ରଧାନମନ୍ତ୍ରୀଙ୍କ ଟ୍ରଫି ପୁରସ୍କାର ପ୍ରଦାନ ନିମନ୍ତେ ନୂଆଦିଲ୍ଲୀଠାରେ ମାର୍ଚ୍ଚ ୧ ତାରିଖରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ପୁରସ୍କାର ଉତ୍ସବରେ ମାନ୍ୟବର କେନ୍ଦ୍ର ଇସ୍ପାତ ମନ୍ତ୍ରୀ, ଚୌଧରୀ ବିରେନ୍ଦ୍ର ସିଂହ ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାକୁ ବବ୍ସ ୱାଗନ ଟର୍ଣ୍ଣ ଆରାଉଣ୍ଡ ସମୟ ହ୍ରାସ ପ୍ରୟାସ ନିମନ୍ତେ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ। ସେଲ ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରୀ ଏବଂ ରାଉରକେଲା ଇସ୍ପାତ କାରଖାନାର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। 

 ୨୦୧୬-୧୭ ଆକଳନ ବର୍ଷ ନିମନ୍ତେ ପ୍ରଧାନମନ୍ତ୍ରୀ ଟ୍ରଫି ଚୟନ କମିଟି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଉତ୍କର୍ଷତା ହାସଲକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ  ପ୍ରଥମ ଥର ଏହି ବର୍ଗରେ ପୁରସ୍କାର ପ୍ରଦାନ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ ଯେ, ଆରଏସପି ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ରୂପେ ଏହି ପୁରସ୍କାର ଲାଭ କରିଛି ।

  ଉଲ୍ଲେଖନୀୟ ଯେ, ୨୦୧୬-୧୭ ଆର୍ଥିକ ବର୍ଷରେ ଆରଏସପିର ସମୁଦାୟ ଚାହିଦାର ୭୪% ଅର୍ଥାତ ୩.୭୯ ନିୟୁତ ଟନ ଲୁହାପଥର ରେଳବାଇ ଯୋଗେ ବବ୍ସ ୱାଗନରେ ପରିବହନ ହୋଇଥିଲା। ଏହି ରେକଗୁଡିକୁ ରେଳବାଇ ଦ୍ଵାରା କାରଖାନାରୁ ୪.୦୩ କିଲୋମିଟର ଦୂରତାରେ ଅବସ୍ଥିତ ବନ୍ଧମୁଣ୍ଡା ଏକ୍ସଚେଞ୍ଜ ୟାର୍ଡକୁ ଅଣାଯାଇଥାଏ। ରେଳବାଇ ଏକ୍ସଚେଞ୍ଜ ୟାର୍ଡରୁ ଏହି ମେଟେରିଆଲକୁ ନିଜସ୍ୱ ଲୋକୋମୋଟିଭରେ ଆଣି ଟ୍ରାକ ହପରରେ ଅନଲୋଡ କରି ଏହାକୁ ନିର୍ଦ୍ଧାରିତ ଜୋରିମାନା ମୁକ୍ତ ସମୟ ସାଢେ ପାଞ୍ଚ ଘଣ୍ଟା ସମୟ ମଧ୍ୟରେ ଏକ୍ସଚେଞ୍ଜ ୟାର୍ଡକୁ ପୁନଃ ପ୍ରେରଣ କରିବା ଆରଏସପିର ଦାୟିତ୍ଵ ଅଟେ। ଏଥିରେ ବିଳମ୍ବ ଘଟିଲେ ରେଳବାଇକୁ ଉଚ୍ଚଦରରେ ଡ଼େମୁରେଜ ଦେବାକୁ ହୋଇଥାଏ।

ସୂଚନାଯୋଗ୍ୟ ଯେ, କେବଳ ଜଙ୍କସନ ପଏଣ୍ଟରୁ ଅନଲୋଡିଙ୍ଗ ପଏଣ୍ଟକୁ ରେକର ଯିବା ଆସିବା ସମୟ ୨.୩୩ ଘଣ୍ଟା ଅଟେ। ୨୦୧୬-୧୭ ଆର୍ଥିକ ବର୍ଷରେ ବିବିଧ ଆଂଶିକ ପରିବର୍ତ୍ତନ ଦ୍ଵାରା ଅନଲୋଡିଙ୍ଗ, ଡୋର ବନ୍ଦ କରିବା ଓ ୱାଗନ ଫେରାଇବା ସମୟକୁ ୨.୪୫ ଘଣ୍ଟା ମଧ୍ୟରେ ସମ୍ପାଦନ କରିବାରେ କାରଖାନା ସମର୍ଥ ହୋଇଥିଲା। ଏହି ସମସ୍ତ ପ୍ରୟାସର ଫଳସ୍ଵରୂପ ବାର୍ଷିକ ଟର୍ଣ୍ଣ ଆରାଉଣ୍ଡ ସମୟ ହାରାହାରି ୪.୭୮ ଘଣ୍ଟାକୁ ହ୍ରାସ ପାଇଥିଲା ଯାହା ସମଗ୍ର ସେଲ ମଧ୍ୟରେ ସର୍ବଶ୍ରେଷ୍ଠ ଅଟେ ଏବଂ ଏଥିସହିତ ଶୂନ୍ୟ ଡିରେଲମେଣ୍ଟ ଓ ଶୂନ୍ୟ ଦୁର୍ଘଟଣା ମଧ୍ୟ ହାସଲ ହୋଇଥିଲା। ଆର୍ଥିକ ବର୍ଷ ୨୦୧୬-୧୭ରେ ଦ୍ରୁତ ରିଲିଜ ସମୟ ଯୋଗୁଁ ଆରଏସପି ବବ୍ସ ସର୍କିଟରେ ୮୬.୮୦ ଲକ୍ଷ ଟଙ୍କାର କ୍ରେଡିଟ ସଞ୍ଚୟ  ହୋଇପାରିଛି। ଏହି ସଫଳତା ଟ୍ରାଫିକ ଓ କଞ୍ଚାମାଲ ବିଭାଗ  ଓ ଓବିବିପି ବିଭାଗର କର୍ମଚାରୀଙ୍କ ଦୃଢନିଷ୍ଠ ପ୍ରୟାସ ଯୋଗୁଁ ସଫଳ ହୋଇଛି ।

Leave A Reply

Your email address will not be published.