ଓଡ଼ଗାଁ, ୧୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ଆଇନଗତ ସଚେତନତା କାର୍ଯ୍ୟକ୍ରମ ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଓ କାର୍ଯ୍ୟପ୍ରଣାଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଓଡ଼ଗାଁ ଆଦର୍ଶ ଥାନା ସବ୍-ଇନ୍ସପେକ୍ଟର ଚକ୍ରଧର ସିଂ, ଏଏସ୍ ଆଇ ମନୋରଞ୍ଜନ ଦେହୁରୀ, ଟିଟୁବାଳା ବେହେରା, ବରିଷ୍ଠ ସାମ୍ବାଦିକ ସାରସ କୁମାର ମିଶ୍ର ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ଯୋଗ ଦେଇଥିଲେ। ଶ୍ରୀ ସିଂ ପ୍ରାୟ ୨ଶହ ଛାତ୍ରୀଙ୍କୁ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଓ ଏହାର ପ୍ରୟୋଗ ସମ୍ପର୍କରେ ଗୋଟି ଗୋଟି କରି ବୁଝାଇଥିଲେ। ନିଜ କିମ୍ବା ଅନ୍ୟ କ୍ଷେତ୍ରରେ ଘଟୁଥିବା ଅପରାଧିକ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେବା ଓ ତଦନ୍ତ କାର୍ଯ୍ୟରେ ସହଯୋଗ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ସେ କହିଥିଲେ ଯେ, ଆଇନ ଅନୁଯାୟୀ ୭ ବର୍ଷରୁ କମ୍ ସଜାଯୋଗ୍ୟ ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ ନକରି ଥାନାରୁ ଧାରା ୩୫ ଅନୁସାରେ ଜାମିନ ଦିଆଯାଇପାରିବ । ଏଣୁ ଏନେଇ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ଭ୍ରମ ରହିବା ଉଚିତ ନୁହେଁ। ଏହି କାର୍ଯ୍ୟକ୍ରମରେ ଦୈନନ୍ଦିନ ଜୀବନରେ ଆଇନର ପ୍ରୟୋଗ ଓ ପୋଲିସଙ୍କ ଭୂମିକା ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ପୋଲିସ ଜନତାଙ୍କର ବନ୍ଧୁ ଓ ବିପଦ ସମୟରେ ନିର୍ଭୟରେ ପୋଲିସର ସହାୟତା ନେବାକୁ ସାମ୍ବାଦିକ ସାରସ କୁମାର ମିଶ୍ର ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ ପୋଲିସ ବିଭାଗର ସଚେତନ ଧର୍ମୀ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.