ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଳ୍ପ କେନ୍ଦ୍ର , ଗଜପତିଙ୍କ ଦ୍ୱାରା ଆୟୋଜିତ ଏବଂ ଜନ ଶିକ୍ଷଣ ସଂସ୍ଥାନ , ଗଜପତିଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ପରିଚାଳିତ ୧୨ ଦିନିଆ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୩୦ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସେଥିରେ ୭ ଜଣ ମହିଳା ରହିଥିଲେ। ବିଭିନ୍ନ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା ଏବଂ ସ୍ୱାବଲମ୍ବୀ ଜୀବିକା ନିର୍ବାହ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
୧୨ ଦିନିଆ ପ୍ରଶିକ୍ଷଣ ଅବଧିରେ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍ୟୋଗ ପ୍ରତିଷ୍ଠା , ବ୍ୟବସାୟ ଯୋଜନା ପ୍ରସ୍ତୁତି , ଆର୍ଥିକ ପରିଚାଳନା , ବଜାର ସଂଯୋଗ , ବ୍ୟାଙ୍କ ଋଣ , ସରକାରୀ ଯୋଜନା ଓ ଉଦ୍ୟୋଗ ପରିଚାଳନା ସମ୍ପର୍କରେ ତାତ୍ତ୍ୱିକ ଓ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା। ଏଥିସହିତ ଶିଳ୍ପାନୁଷ୍ଠାନ ପରିଦର୍ଶନ ମାଧ୍ୟମରେ ବିଭିନ୍ନ ଉଦ୍ୟୋଗର କାର୍ଯ୍ୟପ୍ରଣାଳୀ ଓ ବ୍ୟବସାୟିକ ଅଭିଜ୍ଞତା ହାସଲ କରିବାର ସୁଯୋଗ ମଧ୍ୟ ପ୍ରଦାନ କରାଯାଇଥିଲା।
ପ୍ରଶିକ୍ଷଣର ୧୩ତମ ଦିନରେ ଆୟୋଜିତ ଉଦଯାପନୀ ଉତ୍ସବ ଓ ପ୍ରମାଣପତ୍ର ବିତରଣ ସମାରୋହରେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଗଜପତିର ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଶ୍ରୀ ଅଭିଷେକ ମିଶ୍ର , ଜିଲ୍ଲା ଶିଳ୍ପ କେନ୍ଦ୍ର , ଗଜପତିର ମହାପ୍ରବନ୍ଧକ ଶ୍ରୀ ବିଭୁ ରଞ୍ଜନ ସ୍ୱାଇଁ ଏବଂ ଜନ ଶିକ୍ଷଣ ସଂସ୍ଥାନ , ଗଜପତିର ନିର୍ଦ୍ଦେଶକ ଶ୍ରୀ ପି. ଜୀବନ ଦାସ ଯୋଗଦେଇଥିଲେ।
ଅତିଥିମାନେ ନିଜ ନିଜ ଉଦ୍ବୋଧନରେ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣରୁ ହାସଲ କରିଥିବା ଜ୍ଞାନ ଓ ଦକ୍ଷତାକୁ ବ୍ୟବହାର କରି ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା କରିବା , ଆତ୍ମନିର୍ଭରଶୀଳ ହେବା ସହିତ ଜିଲ୍ଲାର ଆର୍ଥିକ ବିକାଶରେ ଯୋଗଦାନ କରିବାକୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ପ୍ରଶିକ୍ଷଣ ସଫଳତାର ସହ ସମାପନ କରିଥିବା ସମସ୍ତ ୩୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ଯୁବକ ଯୁବତୀ ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି , ସ୍ୱ-ରୋଜଗାରର ସୁଯୋଗ ବୃଦ୍ଧି ଏବଂ ସ୍ଥାୟୀ ଜୀବିକା ନିର୍ବାହ ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ଭାବେ ପରିଗଣିତ ହୋଇଛି। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଜିଲ୍ଲା ଶିଳ୍ପ କେନ୍ଦ୍ର , ଗଜପତିଙ୍କ ଦ୍ୱାରା ଆୟୋଜିତ ଏବଂ ଜନ ଶିକ୍ଷଣ ସଂସ୍ଥାନ , ଗଜପତିଙ୍କ ଦ୍ୱାରା ସଫଳତାର ସହ ପରିଚାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.