ତାଳମାଲ ଗାଁରେ ବିଳମ୍ବିତ ରାତିରେ ଆତଙ୍କରାଜ: ନକଲି ବନ୍ଧୁକ ଦେଖାଇ ୯ ଦୁର୍ବୃତ୍ତଙ୍କ ଲୁଟ୍, ଦୁଇ ଜଣଙ୍କୁ ବାନ୍ଧି ନିର୍ଧୁମ ମାଡ଼

7


ଅଭିଯୋଗ କଲେ ଘର ଜାଳିଦେବା ସହ ହତ୍ୟା ଧମକ; ଅଣଓଡ଼ିଆ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ନେଇ ସନ୍ଦେହ, ତଦନ୍ତ ଜାରି


ଝାରସୁଗୁଡ଼ା, ୨୭: ଝାରସୁଗୁଡ଼ା ଜିଲ୍ଲା ଏୟାରପୋର୍ଟ ଥାନା ଅନ୍ତର୍ଗତ ତାଳମାଲ ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏକ ଲୋମହର୍ଷକ ଡକାୟତି। ପ୍ରାୟ ୯ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ନକଲି ବନ୍ଧୁକ ଦେଖାଇ ଘରେ ପଶି ଦୁଇ ଯୁବକଙ୍କ ହାତଗୋଡ଼ ବାନ୍ଧିବା ସହ ମୁହଁରେ ଟେପ୍ ଲଗାଇ ନିର୍ଧୁମ ମାଡ଼ ମାରିଛନ୍ତି। ଏହାପରେ ଘରୁ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଏପରିକି ପୋଲିସରେ ଅଭିଯୋଗ କଲେ ଘର ଜାଳିଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ତାଳମାଲ ଗ୍ରାମର ଶୁଭମ କେଶରୀଙ୍କ ବାପା ଓ ମାଆ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଯାଇଥିଲେ। ଗୁରୁବାର ରାତି ପ୍ରାୟ ୧ଟା ୩୦ରୁ ୨ଟା ମଧ୍ୟରେ ଶୁଭମ ଓ ତାଙ୍କର ଜଣେ ବନ୍ଧୁ ଘରେ ଶୋଇଥିବା ସମୟରେ ପ୍ରାୟ ୯ ଜଣ ଦୁର୍ବୃତ୍ତ ହଠାତ୍ ଘରେ ପଶିଥିଲେ। ସେମାନେ ନକଲି ବନ୍ଧୁକ ଦେଖାଇ ଉଭୟଙ୍କୁ କାବୁ କରି ହାତଗୋଡ଼ ବାନ୍ଧିବା ସହ ମୁହଁରେ ଟେପ୍ ଲଗାଇ ଦେଇଥିଲେ।

ଏହାପରେ ଦୁର୍ବୃତ୍ତମାନେ ଶୁଭମଙ୍କୁ ନିର୍ମମ ଭାବେ ମାଡ଼ ମାରି ଗୁରୁତର ଆହତ କରିଥିଲେ। ଘରେ ଥିବା ନଗଦ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟିବା ସହ ସୁନା ଓ ରୁପା ଅଳଙ୍କାର ମଧ୍ୟ ନେଇଥିବା ସନ୍ଦେହ କରାଯାଉଛି। ତେବେ ଆହତ ଅବସ୍ଥା ଯୋଗୁଁ ଅଳଙ୍କାରର ସଠିକ୍ ହିସାବ ଜଣାପଡ଼ିନାହିଁ। ଲୁଟ୍ ପରେ ଅଭିଯୁକ୍ତମାନେ ପୋଲିସକୁ ଖବର ଦେଲେ ଘର ଜାଳିଦେବା ଓ ହତ୍ୟା କରିବାକୁ ଧମକ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଶୁକ୍ରବାର ସକାଳେ ପଡ଼ୋଶୀ ବିରଞ୍ଚି ପଟେଲ ଓ ଅନ୍ୟ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପଡ଼ୋଶୀ ବିରଞ୍ଚି ପଟେଲଙ୍କ ସୂଚନା ଅନୁସାରେ, ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନେ ଅଣଓଡ଼ିଆ ହୋଇଥିବା ସନ୍ଦେହ କରାଯାଉଛି।

ଖବର ପାଇ ଝାରସୁଗୁଡ଼ା ଏସ୍‌ପି ସୋନାଲି ସିଂ ପରମାର, ଏସ୍‌ଡିପିଓ ଉମାଶଙ୍କର ସିଂ ଏବଂ ଏୟାରପୋର୍ଟ ଥାନା ଅଧିକାରୀ ପ୍ରଶାନ୍ତ ସେଠି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ନିୟୋଜିତ ହୋଇ ପ୍ରମାଣ ସଂଗ୍ରହ କରିଛନ୍ତି। ଏଥିସହ ବୈଷୟିକ ପ୍ରମାଣ ସଂଗ୍ରହ ପାଇଁ ସାଇବର ସେଲ୍‌କୁ ମଧ୍ୟ ନିୟୋଜିତ କରାଯାଇଛି।

ଏନେଇ ଏସ୍‌ପି ସୋନାଲି ସିଂ ପରମାର କହିଛନ୍ତି ଯେ, ତାଳମାଲ ଗ୍ରାମରୁ ନଗଦ ଟଙ୍କା ଲୁଟ୍ ହୋଇଥିବା ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାଶ କରାଯିବ।

ଅନ୍ୟପକ୍ଷରେ, ଏହି ଘଟଣା ପରେ ତାଳମାଲ ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଅଞ୍ଚଳରେ ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ନିୟମିତ ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଏସ୍‌ପିଙ୍କ ନିକଟରେ ଦାବି ଜଣାଇଛନ୍ତି।

Leave A Reply

Your email address will not be published.