ଓଡ଼ଗାଁ,୧୭।୪(ଶ୍ରୀକାନ୍ତ କୁମାର ମିଶ୍ର): ଶରଣକୁଳ ନିକଟସ୍ଥ ଚଡ଼ୟାପଲ୍ଲୀ ଗ୍ରାମରେ ଅବସ୍ଥିତ ମା’ ରତ୍ନମାଳାଙ୍କ ପୀଠରେ ବିଶ୍ୱଶାନ୍ତି ଓ ସମସ୍ତଙ୍କ କଳ୍ୟାଣ କାମନାରେ ତିନିଦିନିଆ ଅଷ୍ଟପ୍ରହର ନାମଯଜ୍ଞ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ ଅନୁଷ୍ଠାନଟି ଚଣ୍ଡୀମଠ ଆଶ୍ରମର ନାଗା ବାବା ମହନ୍ତ ଦାମୋଦରଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ଆୟୋଜିତ ହୋଇଥିଲା।ଗୁରୁବାର ଦିନ ପୀଠରେ ଠାକୁରଙ୍କ ଅଧିବାସ ସହ ପୂଜାର୍ଚନା ଆରମ୍ଭ ହୋଇଥିଲା। ଅପରାହ୍ନରେ ସାଧୁ ସମ୍ମିଳନୀ ଓ ଜ୍ଞାନଯଜ୍ଞ ଆୟୋଜିତ ହୋଇ ଧାର୍ମିକ ଚେତନାର ପ୍ରଚାର କରାଯାଇଥିଲା। ଶୁକ୍ରବାର ଭୋରୁଠାରୁ ପୀଠରେ ବିଭିନ୍ନ ପୂଜାର୍ଚନା ସହ ଘୃତଯଜ୍ଞ ଓ ଅହୋରାତ୍ର ନାମସଂକୀର୍ତ୍ତନ ଚାଲିଥିଲା, ଯାହାରେ ଭକ୍ତମଣ୍ଡଳୀ ଆତ୍ମମଗ୍ନ ହୋଇ ଯୋଗଦେଇଥିଲେ।
ଏହି ଅଷ୍ଟପ୍ରହର ନାମଯଜ୍ଞରେ ଜିଲ୍ଲା ସହ ଜିଲ୍ଲାବାହାରରୁ ଆସିଥିବା ବିଭିନ୍ନ ଗ୍ରାମର ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ସକାଳଠାରୁ ଦୀର୍ଘ ରାତି ପର୍ଯ୍ୟନ୍ତ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପୀଠ ପରିସରକୁ ଭକ୍ତିମୟ କରିଥିଲା। ଆଶ୍ରମ ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଏହି ଅବସରରେ ଆଖପାଖ ଗ୍ରାମର ଶତାଧିକ ସ୍ୱେଚ୍ଛାସେବୀ ସକ୍ରିୟ ଭାବେ ସହଯୋଗ କରିଥିଲେ। ଶନିବାର ସକାଳେ ଘୃତଯଜ୍ଞ ଓ ନାମଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ସହ ନଗର ପରିକ୍ରମା ଏବଂ ଦହିହାଣ୍ଡି ଭଙ୍ଗା ଉତ୍ସବ ଆୟୋଜିତ ହେବାକୁ ନିର୍ଦ୍ଧାରିତ ହୋଇଛି।
Sign in
Sign in
Recover your password.
A password will be e-mailed to you.