ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନେଇ ବରପାଲି ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

12

ଡିସେମ୍ବର ୪ରେ ଭୁବନେଶ୍ୱରରେ ମହାସମାବେଶ, ବରପାଲି ସଂଘର ପୂର୍ଣ୍ଣ ସମର୍ଥନ ଘୋଷଣା

ବରପାଲି: ୨୭/୧୧… ଦୀର୍ଘଦିନ ଧରି ପ୍ରାଥମିକ ଶିକ୍ଷକମାନଙ୍କ ବିଭିନ୍ନ ନ୍ୟାଯ୍ୟ ଦାବି ପୂରଣ ହେଉନଥିବାରୁ ଶିକ୍ଷକ ମହାସଂଘ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବରପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (NPS) ପକ୍ଷରୁ ସଭାପତି ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ବରପାଲି ଗୋଷ୍ଠୀ ଶିକ୍ଷାଧିକାରୀ (BEO)ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ଆସନ୍ତା ଡିସେମ୍ବର ୪ ତାରିଖରେ ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶା ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ମହାସମାବେଶ ଆୟୋଜନ କରାଯିବ। ଏହି ସମାବେଶକୁ ବରପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୂର୍ଣ୍ଣ ସମର୍ଥନ ସହ ସକ୍ରିୟ ସହଯୋଗ କରାଯିବ ବୋଲି ସଂଘ ଘୋଷଣା କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘବର୍ଷ ଧରି ଶିକ୍ଷକମାନେ ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ଆନ୍ଦୋଳନ କରିଆସୁଥିଲେ ମଧ୍ୟ ଏଯାଏଁ ସେଗୁଡ଼ିକ ପୂରଣ ହୋଇନାହିଁ। ଗତବର୍ଷ ଡିସେମ୍ବର ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଶିକ୍ଷକମାନେ ଭୁବନେଶ୍ୱରର ଲୋୟର ପିଏମ୍‌ଜିଠାରେ ଧାରଣା ଦେଇଥିଲେ। ସେହି ସମୟରେ ତତ୍କାଳୀନ ସରକାରଙ୍କ ପକ୍ଷରୁ ବିଧାୟକ ବାବୁ ସିଂ ଧାରଣାସ୍ଥଳକୁ ଆସି ସାତଦିନ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମହାସଂଘ ପକ୍ଷରୁ ଧାରଣା ସ୍ଥଗିତ ରଖାଯାଇଥିଲା। ମାତ୍ର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ମହାସଂଘ ନିଷ୍ପତ୍ତି ନେଇଛି।ଶିକ୍ଷକ ମହାସଂଘର ମୁଖ୍ୟ ଦାବି ମଧ୍ୟରେ ରହିଛି ପ୍ରାଥମିକ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ପରିବର୍ତ୍ତନ ଅନୁଯାୟୀ ଦରମା ଓ ଗ୍ରେଡ୍ ପେ’ର ପୁନଃନିର୍ଦ୍ଧାରଣ। ପୂର୍ବରୁ ପ୍ରାଥମିକ ଶିକ୍ଷକଙ୍କ ଯୋଗ୍ୟତା ମାଟ୍ରିକ୍‌ ସିଟି ଥିବାବେଳେ ପରବର୍ତ୍ତୀ ସମୟରେ ଏହା +୨ ସିଟିକୁ ପରିବର୍ତ୍ତନ କରାଯାଇଛି। ତେଣୁ କେନ୍ଦ୍ରୀୟ ହାରରେ ୪୨୦୦ ଟଙ୍କା ଗ୍ରେଡ୍ ପେ’ ପ୍ରଦାନ କରିବାକୁ ସଂଘ ଦାବି କରିଛି।
ସେହିପରି ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କ ଠିକା କାର୍ଯ୍ୟକାଳର ଛଅ ବର୍ଷକୁ ଚାକିରି ସମୟ ଭାବେ ଗଣନା କରାଯାଇନାହିଁ। ତେଣୁ ଏହି ଛଅ ବର୍ଷର କାର୍ଯ୍ୟକାଳକୁ ଚାକିରିରେ ଗଣନା କରିବା ସହ ଛଅଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବାକୁ ମହାସଂଘ ଦାବି ଜଣାଇଛି।ଆସନ୍ତା ୪ ତାରିଖର ମହାସମାବେଶ ପରେ ମଧ୍ୟ ଦାବି ପୂରଣ ନହେଲେ ବ୍ଲକସ୍ତରରେ ଧାରଣା ଓ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଭାପତି ଶ୍ରୀକାନ୍ତ ବାରିକଙ୍କ ସମେତ ସମ୍ପାଦକ ସୋହନ ପ୍ରଧାନ, ବଳରାମ ସାହୁ, ଧାଲେଶ୍ୱର ସାହୁ, ସମୀର ସାହୁ, ରାଜେଶ ପ୍ରଧାନ, ଦୀପକ ପ୍ରଧାନ, ଧୀରଜ କୁମାର ମହାପାତ୍ର, କ୍ଷେତ୍ର ମେହେର, ଲଳିତା କୁଦେଇ, ଦିବ୍ୟସିନି ବିଶି, ସୌଦାମିନୀ ଭୋଇଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.