ବେଲଗୁଣ୍ଠା,୨୭/୧୧,-(ଶିବରାମ ଚୌଧୁରୀ )-ଯୁବ ସ୍ୱେଚ୍ଛାସେବୀ ସ୍ୱର୍ଗତ ରାଜକୁମାର ଆପଟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ଦୁଇ ତାରିଖ ବୁଧବାର ଦିନ ମଙ୍ଗଳପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ। ଏହି ଶିବିର ସକାଳ ୧୦ଟାରେ ଆରମ୍ଭ ହେବ। ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ‘ସମ୍ବାଦ-ଆମ ଓଡ଼ିଶା’ ଏବଂ ସ୍ୱର୍ଗତ ରାଜକୁମାରଙ୍କ ପରିବାର ପକ୍ଷରୁ ମିଳିତ ଭାବେ ଏହାର ଆୟୋଜନ କରାଯାଉଥିବା ବେଳେ ମଙ୍ଗଳପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାବା ମୁକ୍ତେଶ୍ୱର ଯୁବକ ସଂଘ ଶିବିରର ସମସ୍ତ ଦାୟିତ୍ୱ ଗ୍ରହଣ କରିଛି।ଏହି ଶିବିରର ସଫଳ ଆୟୋଜନ ସହ ଅଧିକରୁ ଅଧିକ ଯୁବକଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିବା ଏବଂ ନୂତନ ରକ୍ତଦାତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ପ୍ରସ୍ତୁତି ବୈଠକ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ମାଧବ ଚନ୍ଦ୍ର ଆପଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ସୂଚନାଯୋଗ୍ୟ, ୨୦୧୭ ମସିହାଠାରୁ ଏହି ଶିକ୍ଷା କେନ୍ଦ୍ର ପରିସରରେ ପ୍ରତିବର୍ଷ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ଏହି ମହତ୍ କାର୍ଯ୍ୟକୁ ଅଧିକ ବ୍ୟାପକ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।ଏଥିରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ତଥା ‘ସମ୍ବାଦ-ଆମ ଓଡ଼ିଶା’ ସଂଯୋଜକ ପ୍ରଦ୍ୟୁମ୍ନ ପାତ୍ର, ବାବା ମୁକ୍ତେଶ୍ୱର ଯୁବକ ସଂଘର ସଦସ୍ୟ ରାକେଶ ନାୟକ, ଚିନ୍ତାମଣି ଆପଟ, ମୁରଲୀ ପାତ୍ର, ସଞ୍ଜୟ ଆପଟ, ଗଣେଶ ନାୟକ, କାହ୍ନୁଚରଣ ପୋଲାଇ, ରମାକାନ୍ତ ଆପଟ, ସୋନୁ ବିଶ୍ୱାଳ, ଦୀପକ ନାୟକ, ଦୁର୍ଗା ପ୍ରସାଦ ଆପଟ ଓ କାର୍ତ୍ତିକେଶ୍ୱର ନାୟକଙ୍କ ସମେତ ଶିକ୍ଷା କେନ୍ଦ୍ରର ଗୁରୁମା ରାଜଲକ୍ଷ୍ମୀ, ସସ୍ମିତା ଡାକୁଆ, ସୁଲୋଚନା ଡାକୁଆ, ଆଶାରାଣୀ ଦଳେଇ ଓ ପୂଜା ଗୌଡ଼ ଉପସ୍ଥିତ ଥିଲେ। ଶେଷରେ ରାଜଲକ୍ଷ୍ମୀ ଆପଟ ଧନ୍ୟବାଦ ଅର୍ପଣ କରିଥିଲେ।