ଖୋର୍ଦ୍ଧା:(ସେକ୍ କୌସର):ବିଶିଷ୍ଟ ସାହିତ୍ୟିକ ତଥା ଆଧ୍ୟାତ୍ମବାଦୀ ମଣିଷ ଲଡ଼ୁକିଶୋର ଦାଶଙ୍କ ରଚିତ ‘ବିପ୍ର ତତ୍ତ୍ବମଞ୍ଜରୀ’ ପୁସ୍ତକର ଲୋକାର୍ପଣ ଖୋର୍ଦ୍ଧା ବିଡିଏ କଲୋନୀ ଗାୟତ୍ରୀ ମନ୍ଦିର ପରିସରରେ ଐତିହାସିକ ସତ୍ୟବାଦୀ ବଳିଆରସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତ୍ରିନାଥ ଚରଣ ସ୍ମୃତି କଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶରଚ୍ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟି ଆମ ସନାତନ ଧର୍ମର ସଂସ୍କାର, ଆଚାର ବିଚାର ବ୍ୟବହାର ଉପରେ ଆଧାରିତ ବୋଲି ମତ ଦେଇଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ପ୍ରବଚକ, କବି ତଥା ନ୍ୟୁଜ୍ ୭ର ଦୃଶ୍ୟ ଶ୍ରାବ୍ୟ ସମ୍ପାଦକ ମନୋଜ କୁମାର ଶତପଥୀ କହିଥିଲେ ଯେ, ପୁସ୍ତକଟି ବ୍ରାହ୍ମଣ ସମାଜକୁ ଦିଗଦର୍ଶନ ଦେବା ସହ ସନାତନ ଧର୍ମଧାରାକୁ ସଂସ୍କାରିତ କରିବ। ଏହାର ବହୁଳ ପ୍ରଚାର ପ୍ରସାର ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଉତ୍ସବର ବରେଣ୍ୟ ଅତିଥି ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ମତ ଦେଇଥିଲେ ଯେ, ବିପ୍ର ତତ୍ତ୍ୱସଂହିତାର ନୀତିଗତ ଗୁଢ ତଥ୍ୟଗୁଡ଼ିକ ମନୁଷ୍ୟ ଜୀବନ ପାଇଁ ଅତୀବ ଉପାଦେୟ। ସହଜ ସରଳ ଭାଷାରେ ଏହା ବୋଧଗମ୍ୟ ହୋଇଛି। ଏହି ଅବସରରେ ପୁସ୍ତକର ଲେଖକ ଲଡୁ କିଶୋର ଦାଶ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ପୁସ୍ତକରେ ପ୍ରଶ୍ନ କର୍ତ୍ତା ନାତି ଉତ୍ତର ଦାତା ଅଜାଙ୍କ ଠାରୁ ଧର୍ମ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇଛନ୍ତି। ବହିଟି ଛପାଇବାର ଉଦ୍ଦେଶ୍ୟ ହେଲା, ପ୍ରତ୍ୟେକ ମଣିଷ କିଭଳି ଧର୍ମ ମାର୍ଗରେ ପରିଚାଳିତ ହେବା ସହ ନିଜ ଶରୀରକୁ ସୁସ୍ଥ ରଖିପାରିବେ। ସମ୍ମାନିତ ଅତିଥି କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନ ପୁସ୍ତକର ଲେଖକ ଲଡୁ କିଶୋର ଦାଶଙ୍କ ଆଧ୍ୟାତ୍ମିକ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ ନିଜ ବକ୍ତବ୍ୟରେ ଲେଖକ ଲଡୁ କିଶୋର ଦାଶଙ୍କ ଜୀବନୀ ସହ ପୂର୍ବ ପ୍ରକାଶିତ କବିତା ପୁସ୍ତକ ଅନୁଚିନ୍ତା, ତୁମେ ସେହି ଟିକି, ନୀଳାଦ୍ରି ମୁକୁର, ନୀଳାଦ୍ରି ଚନ୍ଦ୍ରିକା, ବାତ୍ସଲ୍ୟମୟୀ ମା, ସତୀ ନର୍ମଦା ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ। କବୟିତ୍ରୀ ବିଳାସିନୀ ଦାଶ ପୁସ୍ତକର ସମୀକ୍ଷା କରି କର୍ମ ଓ ଧର୍ମ ଯୋଗୁଁ ବ୍ରାହ୍ମଣ ଶ୍ରେଷ୍ଠ ବୋଲି ମତ ଦେଉଥିଲେ। କବି ଶାନ୍ତିଲତା ଦେବୀ, ଅନସୂୟା ସାମନ୍ତରାୟ, ପ୍ରଶାନ୍ତ କୁମାର ସାମନ୍ତରାୟ, ରାଜକିଶୋର ବଳିଆରସିଂହ, ଶ୍ରୀଧର ଦାଶ, ପ୍ରଫୁଲ୍ଲ ଦାଶ, ନୀଳାଦ୍ରି ଜଗଦ୍ଦେବ ପ୍ରମୁଖ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପୁସ୍ତକର ପ୍ରକାଶକ ଡା. ମନୋରଞ୍ଜନ ଦାଶ, ଆଇନଜୀବୀ ଜ୍ୟୋତି ରଞ୍ଜନ ସାହୁ। ତ୍ରିନାଥ ଚରଣ ସ୍ମୃତି କଳା ସାହିତ୍ୟ ସଂସଦର ସମ୍ପାଦିକା ଇତିଶ୍ରୀ ସାହୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.