କେନ୍ଦୁଝର,ତା୪/୪-ଆଜି କେନ୍ଦୁଝର ଲ ଫାର୍ମ କେନ୍ଦୁଝର ଦ୍ଵାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ଜମି ଅଧିଗ୍ରହଣ ଆଇନ, ୨୦୧୩ (RFCTLARR Act, 2013) ଓ ଲୋକଙ୍କ ଅଧିକାର ବିଷୟରେ ଗଭୀର ଆଲୋଚନା ହୋଇଛି। ସେମିନାରରେ ଯୁବ ଅଧିବକ୍ତାମାନଙ୍କୁ ଆହ୍ୱାନ କରାଯାଇଛି ଯେ, ସେମାନେ ଏହି କ୍ଷେତ୍ରରେ ଅଧିକ ସକ୍ରିୟ ଓ ସଚେତନ ଭୂମିକା ନିଅନ୍ତୁ।
ସମ୍ମାନନୀୟ ଅତିଥି ଭାବେ ସରକାରୀ ଅଧିବକ୍ତା ଶ୍ରୀ ଅଶ୍ଵିନୀ କୁମାର ପଟ୍ଟନାୟକ, ବକ୍ତା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ରୀ ପର୍ଶୁରାମ ନାୟକ, ଅତିଥି କେନ୍ଦୁଝର ଜିଲ୍ଲା ଅଧିବକ୍ତା ସଂଘ ସଭାପତି ଶ୍ରୀ ଆଲୋକ କୁମାର ମହାନ୍ତ , ଯୁଗ୍ମ ସମ୍ପାଦକ ଦେବାଶିଷ ପତି, ସାମାଜିକ କର୍ମୀ ନନ୍ଦ କିଶୋର ମାରାଣ୍ଡି ଏବଂ କେନ୍ଦୁଝର ଲ ଫାର୍ମର ମୁଖ୍ୟ ପରିଚାଳକ ଶ୍ରୀ ଦୁଷ୍ମନ୍ତ କୁମାର ଜେନା ଉପସ୍ଥିତ ରହି ଯୁବ ଅଧିବକ୍ତା ମାନଙ୍କୁ ଉଦ୍ବୋଧନ ଦେଇ ମତାମତ ରଖି କହିଥିଲେ ଯେ, ଜମି ଅଧିଗ୍ରହଣ କେବଳ ଏକ ପ୍ରଶାସନିକ ପ୍ରକ୍ରିୟା ନୁହେଁ ବରଂ ଏହା ଲୋକଙ୍କ ଜୀବିକା, ସମ୍ମାନ ଓ ଅଧିକାର ସହ ଗଭୀର ଭାବେ ସଂପୃକ୍ତ। ଏହି ପରିପ୍ରେକ୍ଷୀରେ ଆଇନ ଲୋକଙ୍କୁ ନ୍ୟାୟସଙ୍ଗତ କ୍ଷତିପୂରଣ, ପୁନର୍ବାସ ଓ ପୁନଃଅବସ୍ଥାପନର ଅଧିକାର ଦେଇଛି। ଏହି ଆଲୋଚନା ଚକ୍ରରେ ଉଲ୍ଲେଖ ହେଲା ଯେ, ଆଇନ ଅନୁସାରେ ଜମିର ବଜାର ମୂଲ୍ୟ ନିର୍ଣ୍ଣୟ, ସାମାଜିକ ପ୍ରଭାବ ଆକଳନ, ଏବଂ ପ୍ରଭାବିତ ପରିବାରଙ୍କ ସମ୍ମତି ନିଶ୍ଚିତ କରିବା ଅତ୍ୟାବଶ୍ୟକ। ଗ୍ରାମୀଣ ଅଞ୍ଚଳରେ ଚାରି ଗୁଣ ଓ ସହର ଅଞ୍ଚଳରେ ଦୁଇ ଗୁଣ କ୍ଷତିପୂରଣ ଦେବା ପ୍ରାବଧାନ ଥିବା ସତ୍ତ୍ଵେ ପ୍ରାୟୋଗିକ ମାନଚିତ୍ରରେ ଅନେକ ସମସ୍ୟା ଦେଖାଯାଉଛି। ବକ୍ତାମାନେ ଦୁଃଖ ପ୍ରକାଶ କରି କହିଲେ ଯେ, ଅନେକ କ୍ଷେତ୍ରରେ ସମୟ ମଧ୍ୟରେ କ୍ଷତିପୂରଣ ଦିଆଯାଉନାହିଁ। ସଠିକ ମୂଲ୍ୟାୟନ ହେଉନାହିଁ।
ପୁନର୍ବାସ ବ୍ୟବସ୍ଥା ଅପୂର୍ଣ୍ଣ ରହିଯାଉଛି। କୌଣସି ସମସ୍ଯାର ସମାଧାନ ପାଇଁ ଧାରା ୫୧ ଦ୍ବାରା ନିଯୋଜିତ ଅଧିକାରୀ ସମ୍ବଲପୁରରୁ କେନ୍ଦୁଝରକୁ ସାପ୍ତାହିକ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରି କେନ୍ଦୁଝରରେ କାର୍ଯ୍ୟ କରନ୍ତୁ, ଅନ୍ୟଥା କେନ୍ଦୁଝର ଜନସାଧାରଣ ଆସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ପରିସ୍ଥିତିରେ ଯୁବ ଅଧିବକ୍ତାମାନଙ୍କୁ ଆହ୍ୱାନ କରାଯାଇଛି ଯେ ସେମାନେ ଲୋକଙ୍କ ଅଧିକାର ସୁରକ୍ଷାରେ ଆଗକୁ ଆସନ୍ତୁ ଏବଂ ଆଇନକୁ ସଠିକ ଭାବେ ପ୍ରୟୋଗ କରାଇବାରେ ଭୂମିକା ନିଅନ୍ତୁ।
ସେମାନେ ଆହୁରି କହିଲେ ଯେ ଭାରତୀୟ ସଂବିଧାନର ଅନୁଚ୍ଛେଦ ୩୦୦କ ଅନୁସାରେ ସମ୍ପତ୍ତିର ଅଧିକାର ଏକ ଆଇନସଙ୍ଗତ ଅଧିକାର ଅଟେ ଏବଂ ଏହାକୁ ଉଲ୍ଲଂଘନ କରି କୌଣସି ଅଧିଗ୍ରହଣ କରାଯିବ ନାହିଁ । ଶେଷରେ ବକ୍ତାମାନେ ଏହା ଉଲ୍ଲେଖ କଲେ ଯେ “ଉନ୍ନତି ନାମରେ ଲୋକଙ୍କ ଅଧିକାରକୁ ଅବହେଳା କରାଯିବା ଉଚିତ ନୁହେଁ। ସତ୍ୟ ଉନ୍ନତି ସେଇଠି, ଯେଉଁଠାରେ ନ୍ୟାୟ ଓ ସମ୍ମାନ ସୁନିଶ୍ଚିତ ହୁଏ।” ଅଧିବକ୍ତା ସଂଘ ସଭାପତି ସଂଘରେ ନିଷ୍ପତ୍ତି ନେଇ ଏହିପରି ଆଲୋଚନା ଚକ୍ର ସଂଘରେ ଅଧିକ କରି ଯୁବ ଅଧିବକ୍ତାଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରବାକୁ ପ୍ରତିଶ୍ରୁତି ରଖିଥିଲେ।
Sign in
Sign in
Recover your password.
A password will be e-mailed to you.