ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଆମ ପୋଷାକ, ଆମ ପରିଚୟ’ କାର୍ଯ୍ୟକ୍ରମ

0 2

ନବରଙ୍ଗପୁର ତା ୨.୪.୨୦୨୬: ଅଶୋକ ସାହୁ,ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ‘ଆମ ପୋଷାକ, ଆମ ପରିଚୟ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବିଶ୍ୱଜିତ ଚନ୍ଦ୍ର ବର୍ମନ, ସମସ୍ତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଏବଂ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।
ଏହି ଅବସରରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଓଡ଼ିଶାର ପାରମ୍ପରିକ ପୋଷାକ ତଥା ସ୍ଥାନୀୟ ହସ୍ତତନ୍ତ ବସ୍ତ୍ର ପରିଧାନ କରି ଓଡ଼ିଆ ଅସ୍ମିତାର ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ବିଶେଷ କରି ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାର ପ୍ରାଚୀନ ତଥା ପ୍ରାମାଣିକ ଆଦିବାସୀ ହସ୍ତତନ୍ତର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଆମର ପାରମ୍ପରିକ ବସ୍ତ୍ର କେବଳ ଏକ ପୋଷାକ ନୁହେଁ, ବରଂ ଏହା ଆମ ଜାତିର ସ୍ୱାଭିମାନ ଓ କଳା-ସଂସ୍କୃତିର ପ୍ରତୀକ ବୋଲି ଆଲୋଚନା ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିସହ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆତ୍ମ ପ୍ରକାଶ ସାହୁ ଏବଂ କର୍ମଚାରୀ ଏ. ସନ୍ତୋଷ କୁମାର ସହଯୋଗ କରିଥିଲେ। ପରିଶେଷରେ ସମସ୍ତେ ଏକାଠି ହୋଇ ଏକ ସାମୂହିକ ଫଟୋ ଉତ୍ତୋଳନ କରିବା ସହ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।

Leave A Reply

Your email address will not be published.