ମହିଳା ସ୍ନାତକ ମହାବିଦ୍ୟାଳୟରେ କିଟ୍ ବିଶ୍ବବଦ୍ୟାଳୟ ଆନୁକୁଲ୍ୟରେ ଏକ – ଦିବସୀୟ କର୍ମଶାଳା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ , ପାରଳାଖେମୁଣ୍ଡି ପରିସରରେ ଆଜି କିଟ୍ ବିଶ୍ବବିଦ୍ୟାଳୟ ଅନୁକୁଲ୍ୟରେ ଏକ “ଏକ- ଦିବସୀୟ କର୍ମଶାଳା” ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଅଧ୍ଯକ୍ଷତା କରି ସ୍ବାଗତ ଭାଷଣ ଦେବାସହ ସାଂପ୍ରତିକ ସମାଜରେ ନାରୀର ଭୂମିକା ଓ ଅବଦାନ ବିଷୟରେ ଉଦ‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ବବିଦ୍ୟାଳୟ ଡିନ ତଥା ବିଶିଷ୍ଟ ଗବେଷକ ପ୍ରଫେସର୍ ଡ଼ ଶ୍ରୀନିବାସ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ କୌଶଳ ଅଭିବୃଦ୍ଧି ଏବଂ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଶିକ୍ଷା ତଥା ବୃତ୍ତିଗତ ପରିସର ଉପରେ ଆଲୋକପାତ କରିଥିଲେ । ଏହା ସହିତ ସେ ଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କ ମାର୍ଗଦର୍ଶନ କରିଥିଲେ। ନାରୀ ନିଜର ନିଷ୍ଠା ଓ ଏକାଗ୍ରତା ମାଧ୍ୟମରେ ନିଜର ସ୍ବପ୍ନକୁ ସାକାର କରିବା ସହ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ରଖୂପାରେ ବୋଲି ସେ ନିଜର ବକ୍ତବ୍ୟରେ କହିଥିଲେ ।
ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ “ଦେବାର କଳା” (Art of giving) ଓ ନାରୀ ସଶକ୍ତିକରଣ ଉଦ୍ଦେଶ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ ଏବଂ ଅଧ୍ୟାପିକା ଡ଼ କଲ୍ୟାଣୀ ମିଶ୍ର ତୃଣମୂଳସ୍ତରରୁ ନାରୀ ମାନଙ୍କୁ କିପରି ଆତ୍ମନିର୍ଭରଶୀଳ ଓ ସଶକ୍ତ କରାଯାଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ । ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ ଓ ଶ୍ରୀ ତ୍ରିଲୋଚନ ବାରିକ ଆଲୋଚନାରେ ଭାଗ ନେଇ ନିଜର ମତବ୍ୟକ୍ତ କରିଥିଲେ।
ଏହି ପରିପ୍ରେକ୍ଷୀରେ ବକ୍ତୃତା ଓ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବକ୍ତୃତା ପ୍ରତିଯୋଗିତାରେ ସୁଶ୍ରୀ ଦୀପ୍ତିକୁମାରୀ ଦେବୀ ପ୍ରଥମ ସ୍ଥାନ ଓ ସୁଶ୍ରୀ ଇପସିତା ପାଢୀ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିଭଳି କୁଇଜ୍ ପ୍ରତିଯୋଗିତାରେ ସୁଶ୍ରୀ କଳ୍ପନା ନାଗବଂଶ ଓ ସୁଶ୍ରୀ ପାର୍ବତୀ ଶବର ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଯଥା :- ଶ୍ରୀ ଏଲ୍ ଦୁର୍ଯ୍ୟୋଧନ , ଶ୍ରୀମତୀ ଲାଲୀ ଖଡଗରାୟ , ଶ୍ରୀ କେ.ଦୁର୍ଯୋଧନ , ଶ୍ରୀ ଏଲ.ଅଶୋକ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଡ଼ କଲ୍ୟାଣୀ ମିଶ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁସଂଖ୍ୟାରେ ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

Leave A Reply

Your email address will not be published.