ଓଡ଼ଗାଁ,୨୦।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅନ୍ତର୍ଗତ ନୂଆଗାଁ ବ୍ଳକ ବାହାଡ଼ାଝୋଲା ସନ୍ନିକଟ ବଧୁଲୀପୁର ଗ୍ରାମର ଚାଷୀ ବିରଞ୍ଚିନାରାୟଣ ବେହେରା ବୈଜ୍ଞାନିକ ପଦ୍ଧତିରେ କାଜୁ ଚାଷ କରି ସ୍ୱତନ୍ତ୍ର ସଫଳତା ଅର୍ଜନ କରିଥିବାରୁ ସମ୍ମାନୀତ ହୋଇଛନ୍ତି। ସର୍ବଭାରତୀୟ କାଜୁ ଗବେଷଣା ପ୍ରକଳ୍ପ ସହିତ ସଂପୃକ୍ତ ରହି ସେ କୃଷିର ଆଧୁନିକ ଜ୍ଞାନ ଓ କୌଶଳକୁ ଅପଣାଇ କାଜୁ ଚାଷରେ ଉଲ୍ଲେଖନୀୟ ସଫଳତା ଲାଭ କରିଛନ୍ତି। ତାଙ୍କର ଏହି ସଫଳତା ଅଞ୍ଚଳର ଅନ୍ୟାନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ହୋଇଉଠିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଦ୍ୱାରା ଆୟୋଜିତ “ଓୟୁଏଟି କୃଷକ ମେଳା–୨୦୨୬” ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କୃଷି ଶିକ୍ଷା ସଦନରେ ଅନୁଷ୍ଠିତ ଉଦଘାଟନୀ ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, କୃଷି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶାସନ ସଚିବ ରାମଚନ୍ଦ୍ର ରାଘବ, କୁଳପତି ପ୍ରଭାତ କୁମାର ରାଉତ ଓ ପ୍ରଫେସର ନିରଞ୍ଜନ ପଣ୍ଡା ପ୍ରମୁଖ ଅତିଥିମାନଙ୍କ ହସ୍ତରେ ବିରଞ୍ଚିଙ୍କୁ ସମ୍ମାନିତ କରାଯାଇଥିଲା। ବିରଞ୍ଚିଙ୍କ ଏହି ସଫଳତା ପାଇଁ ଓଡ଼ଗାଁ ଓ ନୂଆଗାଁ ବ୍ଳକ ସହିତ ବାହାଡ଼ାଝୋଲା ଅଞ୍ଚଳର କୃଷି ବିଜ୍ଞାନୀ, ବରିଷ୍ଠ ନାଗରିକ ମଞ୍ଚ ଓ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.