ବିଜେପୁର :-ବରଗଡ଼ ଜିଲ୍ଲାର ଗୁଦେରପାଲି ଗ୍ରାମରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଚଢ଼ାଉ କରାଯାଇ ବହୁ ପରିମାଣରେ ଇଣ୍ଡେନ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏହି ଅଭିଯାନ ସମୟରେ ମୋଟ ୨୮ଟି ସିଲିଣ୍ଡର ଜବତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗୁଦେରପାଲିର ଫକୀର ନାୟକଙ୍କ ଘରେ ଏହି ଚଢ଼ାଉ କରାଯାଇଥିଲା। ଶୁକ୍ରବାର ଦିନ ପ୍ରାୟ ୧୨ଟା ୩୦ମିନିଟ ସମୟରେ ଖାଦ୍ୟ ଓ ଯୋଗାଣ ବିଭାଗର ଟିମ୍ ହଠାତ୍ ପହଞ୍ଚି ଅଭିଯାନ ଆରମ୍ଭ କରିଥିଲେ। ପୂର୍ବରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିବା କୁହାଯାଉଛି।ଅଭିଯାନ ସମୟରେ ଘର ଭିତରୁ ବହୁ ପରିମାଣରେ ଏଲପିଜି ସିଲିଣ୍ଡର ମିଳିଥିଲା, ଯାହାକୁ ସତ୍ୱରେ ଜବତ କରାଯାଇଥିଲା। ଅବୈଧ ଭାବେ ଗ୍ୟାସ ସିଲିଣ୍ଡର ସଂଗ୍ରହ ଓ ବଣ୍ଟନ ହେଉଥିବା ସନ୍ଦେହରେ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି।ଏହି ଚଢ଼ାଉରେ ଖାଦ୍ୟ ଓ ଯୋଗାଣ ବିଭାଗର ACSO ସନ୍ତୋଷ ପଧାନ,ବରୁଣ ଦଳେଇ ସହିତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।ସନ୍ତୋଷ ପଧାନ କହିଛନ୍ତି, “ଅବୈଧ ଭାବେ ଏଲପିଜି ସିଲିଣ୍ଡର ସଂଗ୍ରହ ଓ ବ୍ୟବହାର ବିରୋଧରେ ବିଭାଗ କଡ଼ା ପଦକ୍ଷେପ ନେଉଛି। ଗୁଦେରପାଲିରେ ହୋଇଥିବା ଏହି ଚଢ଼ାଉରେ ୨୮ଟି ସିଲିଣ୍ଡର ଜବତ କରାଯାଇଛି। ଏନେଇ ତଦନ୍ତ ଜାରି ରହିଛି ଓ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”ଘଟଣା ପରେ ଅଞ୍ଚଳରେ ଚଞ୍ଚଳତା ଦେଖାଦେଇଥିବା ବେଳେ, ଏହା ପଛରେ କୌଣସି ବଡ଼ ଅବୈଧ ନେଟୱର୍କ ରହିଛି କି ନାହିଁ, ସେଥି ପ୍ରତି ବିଭାଗ ତଦନ୍ତ କରୁଛି। ଆଗାମୀ ଦିନରେ ଏପରି ଅବୈଧ କାରବାର ଉପରେ ଆଉ ଅଧିକ କଡ଼ା ଅଭିଯାନ ଚାଲିବ ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.