ଓଡ଼ଗାଁ, ୧୫।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ରୋଡ୍ ସ୍ଥିତ କଲ୍ୟାଣୀ ମଣ୍ଡପ ପରିସରରେ କ୍ୟାପଟେନ୍ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସ୍ମୃତିରେ ଶୁକ୍ରବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରଘୁନାଥ ଆଥଲେଟିକ୍ ଆସୋସିଏସନ, ଓଡ଼ଗାଁ ଓ ତାଙ୍କ ସହପାଠୀମାନଙ୍କ ଆବାହକତ୍ୱରେ ବରିଷ୍ଠ ଆଇନଜୀବୀ ଗୋବିନ୍ଦଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା।
ଏହି ସଭାରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରଥମେ ସ୍ବର୍ଗତ ପାତ୍ରଙ୍କ ତୈଳଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବକ୍ତାମାନେ ସ୍ବର୍ଗତ ପାତ୍ରଙ୍କୁ ଜଣେ ସରଳ ହୃଦୟ, ଅମାୟିକ, ପରୋପକାରୀ, ମିଷ୍ଟଭାଷୀ ଓ ବନ୍ଧୁପ୍ରେମୀ ବ୍ୟକ୍ତିତ୍ୱ ଭାବେ ସ୍ମରଣ କରିଥିଲେ। କର୍ମରତ ଅବସ୍ଥାରେ ସିଙ୍ଗାପୁରରୁ ମାଲେସିଆ ଅଭିମୁଖେ ଯାଉଥିବା ସମୟରେ ଜାହାଜରେ ନିଜ କକ୍ଷରେ ବିଶ୍ରାମ ନେଉଥିବା ବେଳେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଥିବା କଥା ଉଲ୍ଲେଖ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର ଓ ଗଣେଶ୍ୱର ସାହୁଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ ଶରତଚନ୍ଦ୍ର ଷଡ଼ଙ୍ଗୀ, ଆଇନଜୀବୀ ଇନ୍ଦୁଭୂଷଣ ମିଶ୍ର, ନୃତ୍ୟଗୁରୁ ଦୁର୍ଗା ପ୍ରସାଦ ପଣ୍ଡା ଓ ସନ୍ତୋଷ ପ୍ରଧାନ ପ୍ରମୁଖ ସ୍ବର୍ଗତ ପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ। ସାଥୀ କୁମାର ଦେବଦତ୍ତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁକାନ୍ତ ବାରିକ, ମନମୋହନ କଅଁର ଓ ପ୍ରମୋଦ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ରଘୁନାଥ ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଦିବାକର ନାୟକ ସ୍ବର୍ଗତ ପାତ୍ରଙ୍କ ସ୍ମୃତି ଚାରଣ କରିବା ସହ ସଭାରେ ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ। ଦିଗବିଜୟ ଦେବାଶିଷ, ରଞ୍ଜନ କୁମାର ଦାଶ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.