ଶରୀରକୁ ସୁସ୍ଥ ଓ ସବଳ ରଖିବାକୁ ହେଲେ ପ୍ରତ୍ୟହ ଯୋଗ ଓ ବ୍ୟାୟାମର ଆବଶ୍ୟକତା ରହିଛି: ଉପ-ଜିଲ୍ଲାପାଳ

9

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୨ତମ ବାର୍ଷିକ କ୍ରୀଡ଼ା ସମାରୋହ ଆର୍.ବି. ହାଇସ୍କୁଲ ପଡ଼ିଆରେ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ହେମସାଗର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଧ୍ୱଜାରୋହଣ ପୂର୍ବକ କ୍ରୀଡ଼ା ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।
ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇ ଶ୍ରୀଯୁକ୍ତ ଭୋଇ କହିଥିଲେ ଯେ, ଶରୀରକୁ ସୁସ୍ଥ, ସବଳ ଏବଂ ନୀରୋଗ ରଖିବାକୁ ହେଲେ ପ୍ରତ୍ୟହ ଯୋଗ, ପ୍ରାଣାୟାମ ଓ ଶାରୀରିକ ବ୍ୟାୟାମ କରିବାର ନିହାତି ଆବଶ୍ୟକତା ରହିଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆର୍.ବି. ହାଇସ୍କୁଲର ଖେଳ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ମେହେର ଯୋଗ ଦେଇ ଶାରୀରିକ ବିକାଶ ପାଇଁ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।


ପ୍ରାରମ୍ଭରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସ୍ୱାଗତ ସଙ୍ଗୀତ ଗାନ ପରେ କାଳୀ ମନ୍ଦିରରୁ ପୂଜାର୍ଚ୍ଚନା କରି ଅଣାଯାଇଥିବା କ୍ରୀଡ଼ା ଜ୍ୟୋତି ପଡ଼ିଆରେ ପ୍ରବେଶ କରିଥିଲା । ଛାତ୍ରଛାତ୍ରୀମାନଙ୍କ ଶପଥ ପାଠ ପରେ ବିଦ୍ୟାମନ୍ଦିରର ଭାଇଭଉଣୀମାନଙ୍କ ଦ୍ୱାରା ଆକର୍ଷଣୀୟ ବ୍ୟାୟାମ ଓ ଯୋଗ ପ୍ରଦର୍ଶନ କରାଯାଇଥିଲା । ଅତିଥି ପ୍ରଦର୍ଶନୀ ଖେଳରେ କିଶୋର ବର୍ଗର ଭଉଣୀମାନଙ୍କ ମଧ୍ୟରେ ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି ଉଦ୍‌ଘାଟନୀ ସଭାରେ ବିଶ୍ୱ ହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ସଭାପତି ଭକ୍ତଚରଣ ସାହୁ, ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ପୃଥିରାଜ ସାହୁ, ଉପ-ସଭାପତି ଗୋପାଳ କୃଷ୍ଣ ମିଶ୍ର, ଯୁଗ୍ମ ସମ୍ପାଦକ ଡ. ଟିକେଶ୍ୱର ନାଏକ, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଏବଂ ସଭ୍ୟ ଆଶିଷ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସମାରୋହରେ ମାତୃମଣ୍ଡଳୀର ସଦସ୍ୟାବୃନ୍ଦ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସମ୍ପାଦକ ଜନକ ଲାଲ୍ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କ୍ରୀଡ଼ା ପ୍ରତିଯୋଗିତାକୁ ଶାରୀରିକ ପ୍ରମୁଖ ପ୍ରଦୀପ ରାଜହଂସ ଓ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ-ଗୁରୁମା ପରିଚାଳନା କରିଥିଲେ ।

Leave A Reply

Your email address will not be published.