କୁନି ମନର ଉଲ୍ଲାସ— ଝାରସୁଗୁଡ଼ା ଡିଏଭିରେ ବାଳ ମେଳା ଆୟୋଜିତ

0 2

 

ଝାରସୁଗୁଡ଼ା, ତାରିଖ: ୧୩/୦୩/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ନର୍ସରୀଠାରୁ ଆରମ୍ଭ କରି ୨ୟ ଶ୍ରେଣୀ ପର୍ଯ୍ୟନ୍ତ ବାଳ ବାଟିକା ଶିଶୁମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ବାଳ ମେଳା ଆୟୋଜିତ ହୋଇଯାଇଛି । ବିଗତ ଶିକ୍ଷାବର୍ଷର ସମାପ୍ତି ପରେ ବ୍ୟାଗ ମୁକ୍ତ ଦିବସ ରୂପେ ପାଳନ କରିବା ଉଦ୍ଦେଶ୍ୟରେ ୫୦୦ ରୁ ଉର୍ଦ୍ଧ୍ବ ବାଳ ବାଟିକା ଶିଶୁମାନଙ୍କ ଏକତ୍ରୀକରଣରେ ଆୟୋଜିତ ଏହି ମେଳାରେ କୁନି କୁନି ଛାତ୍ରଛାତ୍ରୀମାନେ ସେମାନଙ୍କ ସୃଜନଶୀଳତା, ସାହସିକତା, ବିଦ୍ୟାଳୟ ପ୍ରତି ଆକୃଷ୍ଟତା, ସହ ପାଠ୍ୟ କ୍ରିୟାକଳାପରେ ସହଭାଗିତା ଓ ଆତ୍ମପ୍ରକାଶଶୈଳୀ ଆଦି ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟ ପରିସର ମଧ୍ୟରେ ଏକ ଉତ୍ସବମୁଖର ପରିବେଶରେ କୁନି କୁନି ଶିଶୁମାନଙ୍କ ମନୋହର ପ୍ରଦର୍ଶନୀ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହି ମେଳାରେ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ, ଖେଳନା, ହସ୍ତଶିଳ୍ପ ଓ ଶିକ୍ଷାମୂଳକ ସାମଗ୍ରୀର ଅନେକ ଷ୍ଟଲ ଛାତ୍ରଛାତ୍ରୀମାନେ ନିଜେ ପରିଚାଳନା କରିଥିଲେ । ସୁନ୍ଦର ଭାବେ ସଜା ଯାଇଥିବା ଷ୍ଟଲଗୁଡ଼ିକ ମେଳାର ପ୍ରଧାନ ଆକର୍ଷଣ ହୋଇଥିଲା ଏବଂ ଛାତ୍ରଛାତ୍ରୀମାନେ ବିକ୍ରୟ କଳା, ଦଳୀୟ କାର୍ଯ୍ୟ ଓ ସଂଯୋଗ କୌଶଳ ଅଭ୍ୟାସ କରିବାର ସୁଯୋଗ ପାଇଥିଲେ। କୁନି ଶିଶୁମାନେ ଆଗାମୀ ୨୩ ତାରିଖରେ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ହେବାକୁ ଯାଉଥିବା ରକ୍ତ ଦାନ ଶିବିରରେ ବହୁଳ ସଂଖ୍ୟାରେ ଯୋଗଦେଇ ସାର୍ଥକ କରିବାକୁ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ । ଅଭିଭାବକ, ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ମେଳାରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଓ ପ୍ରୟାସକୁ ହୃଦୟଙ୍ଗମ କରି ପ୍ରଶଂସା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ମେଳାର ଉଦଘାଟନ କରିବା ସହ ଏପରି କାର୍ଯ୍ୟକ୍ରମ କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ନେତୃତ୍ୱ ଓ ଉଦ୍ୟମୀ ମନୋଭାବକୁ ଉନ୍ନତ କରେ ଏବଂ ସେମାନଙ୍କ ସାର୍ବଭୌମ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ ବୋଲି ଭାବବ୍ୟକ୍ତ କରିଥିଲେ । ସୁନନ୍ଦା ପ୍ରହରାଜ, ସଙ୍ଗୀତା ସିହ୍ନା, ରିଙ୍କୁ ଶର୍ମା, ସବିତା ଧଳ, ସ୍ମିତା ସାହୁ, ସରିତା ମିଶ୍ର, ଅଞ୍ଜଳି ବାଲ ସୁବ୍ରମନ୍ୟନ, ମୋନିକା ଶ୍ରୀବାସ୍ତବ, ଏ.ଏସ.ଭି. ଶ୍ରୀବାଲି, ଉମା ସିଂ ଚନ୍ଦେଲ, ମିଲି ରାୟ, ରଶ୍ମିତା ଲେଙ୍କା, ଋତୁପର୍ଣ୍ଣା ଶତପଥୀ ପ୍ରମୁଖ ଶିକ୍ଷୟିତ୍ରୀମାନଙ୍କ ମିଳିତ ସହଯୋଗ ଓ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣରେ ବାଳ ମେଳାଟି ସଫଳ ଭାବେ ସମ୍ପନ୍ନ ହୋଇ ସମସ୍ତଙ୍କ ମନରେ ଆନନ୍ଦ ଓ ସ୍ମୃତିମୟ ଅନୁଭୂତି ପ୍ରଦାନ କରିବା ସାଙ୍ଗକୁ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା ।

Leave A Reply

Your email address will not be published.