ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ୫ କୋଟି ଟଙ୍କା କ୍ଷତିପୂରଣ ଦାବି
ଝାରସୁଗୁଡ଼ା, ୨୮: ହାତୀ ଆକ୍ରମଣରେ ମହିଳା ବନରକ୍ଷୀ ପ୍ରତିଭା ବିଶି (୩୨)ଙ୍କ ଅକାଳ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇପଡ଼ିଛି ତାଙ୍କ ପୈତୃକ ଗ୍ରାମ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରପାଳିକାର ୨୩ ନମ୍ବର ୱାର୍ଡ ଖଲିଆକାନି। ସୁନ୍ଦରଗଡ଼ ଜିଲ୍ଲାର ଝିରପାଣିଠାରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିବା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।
୨୦୨୩ ମସିହାରେ ବନ ବିଭାଗରେ ଯୋଗ ଦେଇଥିବା ପ୍ରତିଭା ସୌଦାଗର ବିଶିଙ୍କ ଏକମାତ୍ର ଝିଅ ଥିଲେ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ବାପା ଓ ତିନି ଜଣ ଦାଦାଙ୍କ ପରିବାରର ଆର୍ଥିକ ଦାୟିତ୍ୱ ତାଙ୍କ ଉପରେ ନିର୍ଭରଶୀଳ ଥିବାରୁ ତାଙ୍କ ଅକାଳ ବିୟୋଗ ପରିବାରକୁ ଅସହାୟ କରିଦେଇଛି।
ଏହି ମର୍ମନ୍ତୁଦ ଘଟଣା ପାଇଁ ବନ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ପ୍ରତିଭାଙ୍କ ଦାଦା ଭବଦେବ ବିଶି। ତାଙ୍କ ଅଭିଯୋଗ ଅନୁଯାୟୀ, ବିନା ଗାଡ଼ି ଓ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାରେ ବିଭାଗୀୟ ଅଧିକାରୀମାନେ ପ୍ରତିଭାଙ୍କୁ ଡ୍ୟୁଟିରେ ପଠାଇଥିଲେ। ଆବଶ୍ୟକ ସୁରକ୍ଷା ସାମଗ୍ରୀ ଓ ଯାତାୟାତ ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ତଦନ୍ତ କରି କଠୋର ଦଣ୍ଡବିଧାନ କରିବାକୁ ସେ ଦାବି କରିଛନ୍ତି।
ସୁନ୍ଦରଗଡ଼ରେ ଶବ ବ୍ୟବଚ୍ଛେଦ ପରେ ପ୍ରତିଭାଙ୍କ ମରଶରୀର ଖଲିଆକାନି ଗ୍ରାମରେ ପହଞ୍ଚିବା ମାତ୍ରେ ଶେଷ ଦର୍ଶନ ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ନିଜ ଗାଁର ଝିଅକୁ ଶେଷ ବିଦାୟ ଦେବା ସମୟରେ ପରିବାରବର୍ଗଙ୍କ ସମେତ ଗ୍ରାମବାସୀଙ୍କ ଆଖିରୁ ଲୁହ ଝରିଥିଲା। ଅନ୍ୟପକ୍ଷରେ ବନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ପରେ ଗ୍ରାମର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।
ଖଲିଆକାନି ରାଧାକୃଷ୍ଣ ଉନ୍ନୟନ ସଂସ୍ଥାର ସଭାପତି ମହେନ୍ଦ୍ର ନାୟକ ଓ ଗ୍ରାମବାସୀମାନେ ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ନିମନ୍ତେ ଦାବି ଉଠାଇଛନ୍ତି। ପରିବାରକୁ ୫ କୋଟି ଟଙ୍କାର କ୍ଷତିପୂରଣ ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।