ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ର ନୂତନ ଭବନ ନିର୍ମାଣ ପାଇଁ ଗୁରୁବାର ଶିଳାନ୍ୟାସ କରାଯାଇଛି। ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତୀୟାଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପ୍ରାୟ ୧୬ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ନୂତନ ଭବନ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବିଧାୟକ କହିଥିଲେ ଯେ ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇବା ଉଚିତ। ସେଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି। ବିଜେପୁର ସିଏଚସିର ଏହି ନୂତନ ଭବନ ନିର୍ମାଣ ହେଲେ ଏଠାରେ ଚିକିତ୍ସା ସୁବିଧା ଆହୁରି ବୃଦ୍ଧି ପାଇବ ଏବଂ ରୋଗୀମାନେ ଅଧିକ ସୁବିଧାରେ ଚିକିତ୍ସା ପାଇପାରିବେ। ସେ କହିଥିଲେ ଯେ ଦୂରଦୂରାନ୍ତର ଗ୍ରାମରୁ ଆସୁଥିବା ରୋଗୀମାନଙ୍କ ପାଇଁ ଏହି ନୂତନ ଭବନ ଅତ୍ୟନ୍ତ ଉପକାରୀ ସାବିତ ହେବ।
ବିଧାୟକ ଆହୁରି କହିଥିଲେ ଯେ ବିଜେପୁର ଅଞ୍ଚଳର ସମଗ୍ର ଉନ୍ନତି ପାଇଁ ସେ ସଦାବେଳେ ପ୍ରୟାସରତ ଅଛନ୍ତି। ସଡକ, ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାଗୁଡ଼ିକୁ ଉନ୍ନତ କରିବା ସରକାରଙ୍କ ପ୍ରାଥମିକତା ରହିଛି। ସ୍ୱାସ୍ଥ୍ୟ ସେବା ମାନବଜୀବନର ସବୁଠାରୁ ମୁଖ୍ୟ ଆବଶ୍ୟକତା ହେବାରୁ ସରକାର ଏହି କ୍ଷେତ୍ରରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ନୂତନ ଭବନ ନିର୍ମାଣ ହେଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ମଧ୍ୟ ଭଲ କାର୍ଯ୍ୟ ପରିବେଶ ସୃଷ୍ଟି ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ କୁବେର ମହନ୍ତ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ସରକାର ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି। ନୂତନ ଭବନ ନିର୍ମାଣ ହେବା ପରେ ରୋଗୀମାନେ ଉନ୍ନତ ଚିକିତ୍ସା ସୁବିଧା ପାଇବେ ଓ ସ୍ୱାସ୍ଥ୍ୟକେନ୍ଦ୍ରର ସେବା ଆହୁରି ସୁଦୃଢ଼ ହେବ ବୋଲି ସେ କହିଥିଲେ।
ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତୀୟା, ସମାଜସେବୀ ଜନାର୍ଦ୍ଦନ ପାଣିଗ୍ରାହୀ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଅଞ୍ଚଳବାସୀ ଦୀର୍ଘଦିନ ଧରି ବିଜେପୁର ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ଦାବି କରୁଥିଲେ। ଏବେ ନୂତନ ଭବନ ନିର୍ମାଣ କାମ ଆରମ୍ଭ ହେବାକୁ ନେଇ ସ୍ଥାନୀୟ ଲୋକମାନେ ଖୁସି ପ୍ରକାଶ କରିଥିବା ସହ ଏହା ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଇଛି l
Sign in
Sign in
Recover your password.
A password will be e-mailed to you.
Next Post