ଓଡିଶାକୁ ନୂତନ ଅମୃତ ଭାରତ ଟ୍ରେନ୍: ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ପଦକ୍ଷେପକୁ ବିଧାୟକଙ୍କ ସ୍ୱାଗତ

0 2

ଝାରସୁଗୁଡା, ୧୦ ମାର୍ଚ୍ଚ: ତାମିଲନାଡୁର କୋଏମ୍ବାଟୁର୍ ଠାରୁ ଝାଡ଼ଖଣ୍ଡର ଧନବାଦ ପର୍ଯ୍ୟନ୍ତ ଏକ ନୂତନ ଅମୃତ ଭାରତ ଟ୍ରେନ୍ ମଞ୍ଜୁର ହେବାକୁ ଓଡିଶା ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ଏକ ପ୍ରେସ ବିବୃତିରେ ସେ କହିଛନ୍ତି ଯେ ଏହି ଟ୍ରେନ୍ ମଞ୍ଜୁରୀ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଓ ରେଳବାଇ ମନ୍ତ୍ରୀଙ୍କ ପଦକ୍ଷେପ ପ୍ରଶଂସନୀୟ।

ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଏହି ଅମୃତ ଭାରତ ଟ୍ରେନ୍ ସମ୍ବଲପୁର, ଝାରସୁଗୁଡା ସହିତ ରାୟଗଡା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ ରୋଡ୍ ଓ ରାଉରକେଲା ପରି ଓଡିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାଧ୍ୟମରେ ଯାତାୟାତ କରିବ।

ଏହି ନୂତନ ରେଳ ସଂଯୋଗ ଦ୍ୱାରା ଓଡିଶା, ତାମିଲନାଡୁ ଓ ଝାଡ଼ଖଣ୍ଡ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ବ୍ୟବସାୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ବିଶେଷ କରି ପଶ୍ଚିମ ଓଡିଶା ଓ ଝାରସୁଗୁଡା ଜିଲ୍ଲାର ଲୋକମାନେ ବହୁତ ଉପକୃତ ହେବେ ବୋଲି ମଧ୍ୟ ସେ ମତ ପ୍ରକାଶ କରିଛନ୍ତି।

ସେହିପରି, ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳର ଯାତାୟାତ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଅର୍ଥନୈତିକ ଓ ସାମାଜିକ ଉନ୍ନତିକୁ ଗତି ମିଳିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି।

Leave A Reply

Your email address will not be published.