ବରଗଡ :-ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ପୁରୀ ଜିଲ୍ଲାର ତାଳବଣିଆ ଠାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଅବଲୋକନ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଯଦୁମଣି ଅଡିଟୋରିୟମ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ, ସୁଭଦ୍ରା ଯୋଜନା ଆଜି ଏକ ବିପ୍ଳବରେ ପରିଣତ ହୋଇଛି। ଏହା କେବଳ ଆର୍ଥିକ ସହାୟତା ଦେବାର କାର୍ଯ୍ୟକ୍ରମ ନୁହେଁ, ବରଂ ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଳମ୍ବୀ କରିବାର ଏକ ମାଧ୍ୟମ। ସେ କହିଥିଲେ ଯେ, ଆଗାମୀ ଦିନରେ ବରଗଡ଼ ସହରରେ ସୁଭଦ୍ରା ମା’ମାନଙ୍କ ପାଇଁ ଏକ ବିଶେଷ ମାର୍କେଟ ବ୍ୟବସ୍ଥା କରାଯିବ, ଯାହା ମାଧ୍ୟମରେ ସେମାନେ ନିଜ ବ୍ୟବସାୟ କରି ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇପାରିବେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସନ୍ଧ୍ୟାରାଣୀ ନେପାକ ଉପସ୍ଥିତ ଥିଲେ। ସମସ୍ତେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କାର ସଦୁପଯୋଗ କରି ସ୍ୱାବଳମ୍ବୀ ହେବା ସହ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ଭାଗୀଦାରୀ ହେବାକୁ ଆହ୍ୱାନ କରିଥିଲେ।ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାରୁ ମୋଟ ୪,୦୭,୬୯୭ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩,୭୫,୦୧୯ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚତୁର୍ଥ କିସ୍ତିର ଟଙ୍କା ତାଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଛି।ଏହି ଅବସରରେ ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାର ୭୭ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ଅତାବିରା ବ୍ଲକର ୧୩ଟି, ଭେଡେନ ବ୍ଲକର ୯ଟି ଏବଂ ବିଜେପୁର ବ୍ଲକର ୫୫ଟି ଗ୍ରାମ ଅନ୍ତର୍ଭୁକ୍ତ ଅଛି।କାର୍ଯ୍ୟକ୍ରମ ଶେଷରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ହେଲପରମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେଥିସହ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଅଭିଯାନର ସଫଳ ରୂପାୟଣ ପାଇଁ ୫ ଜଣଙ୍କୁ ଏବଂ ପୋଷଣ ଅଭିଯାନରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ୧୧ ଜଣ ଅଙ୍ଗନବାଡ଼ି କର୍ମୀ ଓ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.