ମହିଳା ସ୍ନାତକ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ

0 2

 ନାରୀ ନିଜକୁ ଅବଳା କିମ୍ବା ଦୁର୍ବଳା ଭାବିବା ଉଚିତ୍ ନୁହେଁ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ମହିଳା ଦିବସ ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ମହିଳା ଦିବସର ପାଳନ , ଏହାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରି ଅଧ୍ୟକ୍ଷା ଛାତ୍ରୀମାନଙ୍କୁ ସଚେତନତାର ବାର୍ତ୍ତାରେ କହିଥିଲେ ଯେ, ମହିଳା ସଶକ୍ତି କରଣ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଶିକ୍ଷା ଓ ବିଭିନ୍ନ ଯୋଜନାର ସୂଚନା ନେବା ସଙ୍ଗେ ସଙ୍ଗେ ସେଗୁଡିକର ଅପବ୍ୟବହାର ଠାରୁ ନିଜକୁ ଦୂରେଇ ରଖିବା ନାରୀମାନଙ୍କର କର୍ତ୍ତବ୍ୟ ।
ସେହିପରି ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ ନାରୀ ମାନଙ୍କର ଅର୍ନ୍ତନିହିତ ଗୁଣର ବିକାଶ ପୂର୍ବକ ବିଭିନ୍ନ କ୍ଷେତ୍ରରେ ନିଜ ବକ୍ତିତ୍ବର ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ ବର୍ତମାନ ସମୟ ଉପଯୁକ୍ତ ଅଟେ । ତେଣୁ ନାରୀ ନିଜକୁ ଅବଳା କିମ୍ବା ଦୁର୍ବଳା ଭାବିବା ଉଚିତ୍ ନୁହେଁ। ଅଧ୍ୟାପିକା ଡ଼ କଲ୍ୟାଣୀ ମିଶ୍ର , ସୁଶ୍ରୀ ମଧୁସ୍ମିତା ପ୍ରଧାନ ଏବଂ ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ ମଧ୍ୟ ନାରୀ ଶାରୀରିକ , ମାନସିକ , ଶିକ୍ଷାଗତ ଏବଂ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବା ସହ ନିଜର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଉଚିତ୍। ବ୍ୟକ୍ତିତ୍ବ ବିକାଶର ପ୍ରଚେଷ୍ଟା ଓ ସମାଜ ଗଠନରେ ନାରୀର ଭୂମିକା ଏବଂ ନିଜ ଉଜ୍ବଳ ଭବିଷ୍ୟତ ଗଠନ ପାଇଁ ପ୍ରୟାସ ନିମନ୍ତେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ସମସ୍ତ ବକ୍ତବ୍ୟକୁ ସମୀକ୍ଷା କରିବା ସହ ଆଜିକାର ଆର୍ନ୍ତଜାତୀୟ ମହିଳା ଦିବସର ବାର୍ତ୍ତା ”ଦିଅ ଏବଂ ପ୍ରାପ୍ତ କର” ସମ୍ପର୍କରେ ସୂଚନା ଦେଇଥିଲେ। ମହିଳା ଦିବସ ପାଳନର କାରଣ ଉପସ୍ଥାପନା କରି କହିଥିଲେ ଯେ ବିଭିନ୍ନ ସମୟରେ ପୁରୁଷ ପ୍ରଧାନ ସମାଜରେ ନାରୀର ଦୟନୀୟ ସ୍ଥିତି ଏବଂ ତା’ ପ୍ରତି କରାଯାଉଥିବା ଅତ୍ୟାଚାର ବିରୋଧରେ ପ୍ରତିକାର ଓ ପଦକ୍ଷେପ ପାଇଁ ମହିଳା ସଶକ୍ତିକରଣର ଆବଶ୍ୟକତା ଅନିବର୍ଯ୍ୟ ଅଟେ।
ପରିଶେଷରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମକର୍ତ୍ତା ଏବଂ ଛାତ୍ରୀମାନଙ୍କ ପୂର୍ଣ୍ଣ ସହଯୋଗ ପାଇଁ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.