ସରକାର ଶୁଣାଉଛନ୍ତି ଗପ , ସେପଟେ ଚାଷୀ ହନ୍ତସନ୍ତ

0 2

ମାଲକାନଗିରି ଜିଲ୍ଲା ସଦର ବାଟପଲ୍ଲୀ ମଣ୍ଡିରୁ ଧାନ ଉଠାଯାଉ ନଥିବା ପ୍ରତିବାଦରେ ଆଜି ଚାଷୀଙ୍କ ଆନ୍ଦୋଳନ ଏକ ଉଗ୍ର ରୂପ ଧାରଣ କରିଥିଲା।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଶତାଧିକ ଚାଷୀ ମାଲକାନଗିରି-ବାଲିମେଳା ମୁଖ୍ୟ ସଂଯୁକ୍ତ ରାସ୍ତାର ଏମ.ଭି-୧୧ ନିକଟରେ ଧାନ ବସ୍ତା ରଖି ଅଭିନବ ଉପାୟରେ ରାସ୍ତା ଅବରୋଧ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ମୁଣ୍ଡଫଟା ଖରା ଏବଂ ସୂର୍ଯ୍ୟଙ୍କ ପ୍ରଖର କିରଣକୁ ଖାତିର ନକରି ଚାଷୀ ଭାଇମାନେ ନିଜ ଜିଦ୍‌ରେ ଅଟଳ ରହି ରାସ୍ତା ଉପରେ ଧାନ ବସ୍ତା ଉପରେ ହିଁ ଶୋଇ ରହି ପ୍ରତିବାଦ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରବଳ ନାରାବାଜି କରିଥିଲେ। ଚାଷୀଙ୍କ ସ୍ପଷ୍ଟ ଦାବି ଥିଲା ଯେ, ଯେପର୍ଯ୍ୟନ୍ତ ମଣ୍ଡିରେ ଥିବା ଶେଷ ଧାନ ବସ୍ତାଟି ନ ଉଠିଛି ଏବଂ ଲାପ୍ସ ହୋଇଥିବା ଚାଷୀଙ୍କ ଟୋକନ୍‌କୁ ପୁନଃପ୍ରବେଶ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ସେମାନେ ଏହି ଆନ୍ଦୋଳନରୁ ଓହରିବେ ନାହିଁ।ଏହି ଚକାଜାମ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମଟର ଏବଂ ହଜାର ହଜାର ଯାତ୍ରୀ ଅଟକି ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏମିତିକି କିଛି ଯାତ୍ରୀ ନିଜ ଦୂର ଦୂରାନ୍ତର ଦୋକାନ ପାଇଁ ଅଣ୍ଡା, ପନିପରିବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗାଡ଼ିରେ ଧରି ଯାଉଥିବା ବେଳେ ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି ସେଠାରେ ଫସି ରହିଥିଲେ।ତେବେ ଘଟଣା ସ୍ଥଳରେ ମାଲକାନଗିରି ବ୍ଲକର ଏମ.ଆଇ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଛି। ଚାଷୀମାନେ ଅଧିକାରୀଙ୍କ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି।ତେବେ ଦୀର୍ଘ ସମୟର ଆଲୋଚନା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ୨୦୦୦ କ୍ୱିଣ୍ଟାଲ୍ ଧାନ କ୍ରୟ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ସହ କିଛି ଚାଷୀଙ୍କୁ ମଣ୍ଡିକୁ ଡକାଯାଇ ଆଇ ସ୍କାନ୍ କରାଯାଇଥିଲା ।

Leave A Reply

Your email address will not be published.