ନର୍ଲା ରେଳ ଫାଟକରେ ଓଭରବ୍ରିଜ ଦାବୀ ଜୋରଦାର – ସ୍କୁଲ ପିଲା ଓ ଜରୁରୀ ସେବା ବ୍ୟାହତ

0 2

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରୁ ମଦନପୁର ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୬ ନଂ ର ନର୍ଲା ରେଳ ଫାଟକ ଏବେ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟାର କାରଣ ହୋଇପଡ଼ିଛି। ଏଠାରେ ରେଲୱେ ଓଭରବ୍ରିଜ ନଥିବାରୁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଯାତାୟାତ ବନ୍ଦ ରହୁଥିବା ଦେଖାଯାଉଛି। ଫଳରେ ସ୍କୁଲ କଲେଜ ଛାତ୍ରଛାତ୍ରୀ, ଦୈନନ୍ଦିନ ଯାତ୍ରୀ ଓ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଶେଷକରି ଜରୁରୀ ସମୟରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଆପାତକାଳୀନ ସେବା ମଧ୍ୟ ଫାଟକରେ ଅଟକି ରହିବାରୁ ରୋଗୀଙ୍କୁ ହସ୍ପିଟାଲକୁ ନେବାରେ ବିଳମ୍ବ ହେଉଛି। ସ୍କୁଲ ପିଲାମାନେ ମଧ୍ୟ ସମୟରେ ପଢ଼ାଶୁଣା ପାଇଁ ପହଞ୍ଚିପାରୁନଥିବାରୁ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ରାସ୍ତା ଭବାନୀପାଟଣା, ନର୍ଲା ଓ ମଦନପୁର ରାମପୁର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସୃଷ୍ଟି କରୁଥିବାରୁ ଏଠାରେ ଯାତାୟାତ ଚାପ ବହୁତ ଅଧିକ। ଏପରି ପରିସ୍ଥିତିରେ ରେଳ ଫାଟକ ପରିବର୍ତ୍ତେ ଏକ ରେଲୱେ ଓଭରବ୍ରିଜ ନିର୍ମାଣ କରାଯାଇଲେ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ହେବ।
ଏହି ପରିପ୍ରେକ୍ଷିତରେ ସାଧାରଣ ଲୋକ, ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଶୀଘ୍ର ନର୍ଲା ଠାରେ ରେଲୱେ ଓଭରବ୍ରିଜ ନିର୍ମାଣ ପାଇଁ ସରକାରଙ୍କ ନଜର ଆକର୍ଷଣ କରିଛନ୍ତି। ଲୋକହିତକୁ ଦୃଷ୍ଟିରେ ରଖି ସରକାର ଓ ରେଲୱେ ବିଭାଗ ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଜୋରଦାର ଦାବୀ ହେଉଥିବା ପରିଲିକ୍ଷିତ ହେଉଛି।

Leave A Reply

Your email address will not be published.