ଝାରସୁଗୁଡ଼ା, ୦୭/୦୩/୨୦୨୬: ଆଜି ହେବାକୁ ଥିବା ଟି-୨୦ ୱାଲ୍ଡ କପ ଫାଇନାଲ ମ୍ୟାଚ ଜିତି ଚାମ୍ପିୟନ ଟ୍ରଫି ହାସଲ କରିବାର ଉତ୍ସାହ ଓ ଉତ୍କଣ୍ଠା ନେଇ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା ପରିସରରୁ ଭାରତୀୟ କ୍ରିକେଟ ଟିମ ପାଇଁ ଆଗୁଆ ଶୁଭେଚ୍ଛା ଓ ଜୟଧ୍ୱନି ଗୁଞ୍ଜିଉଠିଛି । ଛାତ୍ରଛାତ୍ରୀମାନଙ୍କର ଉତ୍ସାହ, ଦେଶଭକ୍ତି ଓ କ୍ରିକେଟ ପ୍ରେମ ମିଶି ବିଦ୍ୟାଳୟ ପରିସରକୁ ଏକ ପ୍ରକାର ଦେଶପ୍ରେମର ମହୋତ୍ସବରେ ପରିଣତ କରିଦେଇଥିଲା। ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଟିମ ଇଣ୍ଡିଆ ଲାଗି ଜୟ ଧ୍ୱନି କରି ପରିସରକୁ ପ୍ରକମ୍ପିତ କରିଥିଲେ । ସମସ୍ତଙ୍କ ଉତ୍ସାହ ଓ ଆଶାଭରା ସ୍ଲୋଗାନ ମାଧ୍ୟମରେ ଭାରତୀୟ ଦଳ ପାଇଁ ଏକ ଶକ୍ତିଶାଳୀ ସମର୍ଥନର ସ୍ପଷ୍ଟଚିତ୍ର ପରିସ୍ଫୁଟିତ ହୋଇଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ନେତୃତ୍ୱରେ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ କ୍ରିକେଟ ଭାରତରେ କେବଳ ଏକ ଖେଳ ନୁହେଁ, ଏହା ଦେଶର ଯୁବପିଢ଼ୀଙ୍କ ମନରେ ଏକତା, ଆତ୍ମବିଶ୍ୱାସ ଓ ଦେଶପ୍ରେମର ଅଗ୍ନିଶିଖା ପ୍ରଜ୍ୱଳିତ କରେ ବୋଲି ମନ୍ତବ୍ୟ ଦେଇଥିଲେ । ଭାରତୀୟ ଟିମ ତାଙ୍କର ଅଦମ୍ୟ ସାହସ, ଦକ୍ଷତା ଓ କ୍ରୀଡ଼ା ନୈପୁଣ୍ୟତା ଦ୍ୱାରା ବିଶ୍ୱ ମଞ୍ଚରେ ଦେଶର ଗର୍ବ ଓ ଗୌରବ ସଞ୍ଚାର କରିବେ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିଲେ। ଡିଏଭି ଝାରସୁଗୁଡ଼ା ପରିବାର ଏହି ଆଗୁଆ ଶୁଭେଚ୍ଛା ବାର୍ତ୍ତା ଭାରତୀୟ ଦଳ ପାଇଁ ଏକ ପ୍ରେରଣାର ସୂତ୍ର ହେବ ବୋଲି ଆଶା ବାନ୍ଧିଛନ୍ତି ।