କର୍ମଶାଳାରେ ୧୦୦ ରୁ ଉର୍ଦ୍ଧ୍ୱ ଜନ ସୂଚନା ଅଧିକାରୀ ବିଭାଗୀୟ ଅଧିକାରୀଙ୍କ ଯୋଗଦାନ
-
ସୂଚନା ଅଧିକାର ଆଇନ ହେଉଛି ସ୍ୱଚ୍ଛ ଶାସନର ଏକ ଦର୍ପଣ। ଯେଉଁଠି ସୂଚନା ସର୍ବସାଧାରଣ, ସେଠାରେ ଭ୍ରଷ୍ଟାଚାର ଅପ୍ରାସଙ୍ଗିକ ଏବଂ ବିକାଶ ଅପରିହାର୍ଯ୍ୟ। ତଥ୍ୟର ସ୍ୱଚ୍ଛ ଆଦାନପ୍ରଦାନ ହିଁ ପ୍ରଶାସନିକ ଦକ୍ଷତାର ପ୍ରକୃତ ପରିଚୟ। : ଜିଲ୍ଲାପାଳ, ଝାରସୁଗୁଡ଼ା
-
ସୂଚନା ଅଧିକାର ଆଇନ ଗଣତନ୍ତ୍ରର ସୁରକ୍ଷା କବଚ ଏବଂ ଗଣତନ୍ତ୍ରର ପ୍ରକୃତ ଶକ୍ତି ନାଗରିକଙ୍କ ଜାଣିବା ଅଧିକାର ମଧ୍ୟରେ ହିଁ ନିହିତ। RTI କେବଳ ଏକ ଆଇନ ନୁହେଁ, ଏହା ନାଗରିକ ଓ ପ୍ରଶାସନ ମଧ୍ୟରେ ବିଶ୍ୱାସର ଏକ ସେତୁ :ଏସ.ପି, ଝାରସୁଗୁଡ଼ା
ଝାରସୁଗୁଡ଼ା, ୦୭/୦୩: ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଗୃହ ପରିସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସୂଚନା ଅଧିକାର ଆଇନ, ୨୦୦୫’ କର୍ମଶାଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲାସ୍ତରୀୟ କର୍ମଶାଳାରେ ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଏକ ଦିନିକିଆ କର୍ମଶାଳାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ଆର ରାଘବେନ୍ଦ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ବ୍ରଜ ବନ୍ଧୁ ଭୋଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିଆରସିଂହ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ନିଜ ଅଭିଭାଷଣରେ କହିଥିଲେ ଯେ, RTI ମାଧ୍ୟମରେ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ହେବା ସହ ନାଗରିକମାନେ ସରକାରୀ ଯୋଜନା ବିଷୟରେ ସିଧାସଳଖ ତଥ୍ୟ ପାଇପାରିବେ। ଏହି ଆଇନ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିଥାଏ। ବିଶେଷ କରି ‘ସେକ୍ସନ ୪’ ଅନୁଯାୟୀ ସ୍ୱତଃପ୍ରବୃତ୍ତ ସୂଚନା ପ୍ରଦାନ (Proactive Disclosure) ଉପରେ ଗୁରୁତ୍ୱ ଦେଲେ ନାଗରିକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ଆବେଦନ ସଂଖ୍ୟା ମଧ୍ୟ ହ୍ରାସ ପାଇବ। ଏହାକୁ ଏକ ବୋଝ ନଭାବି ସେବା ପ୍ରଦାନର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସେହିଭଳି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ଆର ରାଘବେନ୍ଦ୍ର କହିଥିଲେ ଯେ, RTI କୁ କେବଳ ଆଇନଗତ ପ୍ରକ୍ରିୟା ବା ଅଭିଯୋଗ ପଦ୍ଧତି ଭାବେ ନଦେଖି ଏକ ଉନ୍ନତ ‘ମ୍ୟାନେଜମେଣ୍ଟ ସିଷ୍ଟମ’ ଭାବେ ଗ୍ରହଣ କରିବା ଉଚିତ। ପୋଲିସ ବିଭାଗରେ ଏହାର ପ୍ରଭାବଶାଳୀ ରୂପାୟନ ଏକ ଜନ-କୈନ୍ଦ୍ରିକ ପ୍ରଶାସନ ଗଠନ କରିବାରେ ସହାୟକ ହେବ।
ଏହି କର୍ମଶାଳାରେ ୧୦୦ ରୁ ଉର୍ଦ୍ଧ୍ୱ ଜନ ସୂଚନା ଅଧିକାରୀ, ସହକାରୀ ଜନ ସୂଚନା ଅଧିକାରୀ, ଡେପୁଟି କଲେକ୍ଟର ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଲୁମିନସ ପ୍ରାଇଭେଟ୍ ଲିମିଟେଡର ପ୍ରଶିକ୍ଷକ ରଞ୍ଜନ କୁମାର ବକ୍ସି ସୂଚନା ଅଧିକାର ଆଇନ ରେ ଦରଖାସ୍ତ ଗ୍ରହଣ ଅନଲାଇନ ରେ ସମସ୍ତ ପ୍ରକ୍ରିୟା ସମ୍ପାଦାନ କୌଶଳ , କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ନିମିତ୍ତ ଆବଶ୍ୟକ ରେଜିଷ୍ଟର ଲିପିବଦ୍ଧ କରିବା, ଜନ ସୂଚନା ଅଧିକାରୀ, ସହକାରୀ ଜନ ସୂଚନା ଅଧିକାରୀ ଆଦି ପ୍ରଦର୍ଶିତ କରିବା ଆଦି ବିଷୟରେ ବିଶଦ ଆଲୋଚନା କରିଥିଲେ।