ତାଳପଦରରେ ୧୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୧୨ ମହିଳା ସମେତ ୪୫ ୟୁନିଟ୍ ସଂଗ୍ରହ

2

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମର ଖଗେଶ୍ୱର ମଣ୍ଡପ ପରିସରରେ ଉତ୍ତାଳଗଡ଼ ନାଟ୍ୟସାଂସଦ ଓ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ୧୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗତ ଦଶ ବର୍ଷ ଧରି ସାମାଜିକ କ୍ଷେତ୍ରରେ ସକ୍ରିୟ ଭୂମିକା ନେଇଆସୁଥିବା ଉତ୍ତାଳଗଡ଼ ନାଟ୍ୟ ସାଂସଦ ଏହି ରକ୍ତଦାନ ଶିବିର ମାଧ୍ୟମରେ ମାନବସେବାରେ ନିଜ ସମର୍ପଣକୁ ପୁନର୍ବାର ପ୍ରମାଣ କରିଛି। ଗ୍ରାମୀଣ ଅଞ୍ଚଳରେ ସଚେତନତା ବୃଦ୍ଧି, ଯୁବପିଢ଼ିକୁ ସମାଜସେବାରେ ପ୍ରେରିତ କରିବା ଓ ରକ୍ତ ସଙ୍କଟ ଦୂରୀକରଣ ପାଇଁ ସଂସ୍ଥାଟି ନିରନ୍ତର ପ୍ରୟାସରତ।
ଶିବିରରେ ମୋଟ ୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ସେଥିରୁ ୧୨ ଜଣ ମହିଳା ରକ୍ତଦାନ କରିଥିଲେ। ଗ୍ରାମର ପୁରୁଷ ମହିଳା ଯୁବକ ମାନେ ଉତ୍ସାହର ସହିତ ଯୋଗଦେଇ ସମାଜସେବାରେ ସାମିଲ ହୋଇଥିଲେ। ବରଗଡ଼ ରକ୍ତଭଣ୍ଡାରର କର୍ମଚାରୀମାନେ ଉପସ୍ଥିତ ହୋଇ ଡାକ୍ତରୀ ନିୟମାବଳୀ ଅନୁସାରେ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରେ ରକ୍ତ ସଂଗ୍ରହ କରିଥିଲେ। ସୁସଂଗଠିତ ବ୍ୟବସ୍ଥାପନା ମଧ୍ୟରେ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା।ଶେଷରେ ଆୟୋଜକ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ତାଙ୍କ ସେବାଭାବକୁ ସମ୍ମାନ ଜଣାଯାଇଥିଲା। ଏଭଳି ସାମାଜିକ ପଦକ୍ଷେପ ଆଗାମୀ ଦିନରେ ଅଧିକ ଲୋକଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିବ ବୋଲି ଆଶା ପ୍ରକାଶ ପାଇଛି।

Leave A Reply

Your email address will not be published.