ଶ୍ରୀ ଶ୍ରୀ ଲଡୁକେଶ ମହେଶ ବିଜେ ଶରଣକୁଳ, ମହାଶିବରାତ୍ରୀ ଯାତ୍ରା–୨୦୨୬ ପାଳନ ପାଇଁ ପ୍ରସ୍ତୁତି ବୈଠକ,

2

ଓଡ଼ଗାଁ, ୨୯।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶ୍ରୀ ଶ୍ରୀ ଲଡୁକେଶ ମହେଶ ବିଜେ ଶରଣକୁଳଙ୍କ ମହାଶିବରାତ୍ରୀ ଯାତ୍ରା–୨୦୨୬ କୁ ଶୃଙ୍ଖଳାବଦ୍ଧ ଓ ସୁଚାରୁ ଭାବେ ପାଳନ କରିବା ନିମନ୍ତେ ଆଜି ଡାକବଙ୍ଗଳା, ଶରଣକୁଳ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମାନନୀୟା ଜିଲ୍ଲାପାଳ-ତଥା-ଜିଲ୍ଲା ମାଜିଷ୍ଟ୍ରେଟ୍ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ସମ୍ପନ୍ନ ହୋଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ଓଡ଼ଗାଁ ମାନସ ରଂଜନ ଭୋଇ, ବିଡିଓ ଓଡ଼ଗାଁ ପ୍ରିତିବାଳା ରଣା, ନିର୍ବାହୀ ଅଧିକାରୀ ଏନ.ଏ.ସି. ଓଡ଼ଗାଁ ନିହାର ରଂଜନ ନାୟକ, ଏସ.ଡି.ପି.ଓ. ଶରଣକୁଳ ଦିପ୍ତିକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକରେ ପୂର୍ବବର୍ଷର ଅନୁଭବ ଓ ବିବରଣୀ ଆଧାରରେ ବିଭିନ୍ନ ପ୍ରସଙ୍ଗରେ ବିଶଦ ଆଲୋଚନା କରାଯାଇଥିଲା । ଠାକୁରଙ୍କ ନୀତିକାନ୍ତି, ଯାତ୍ରୀ ଦର୍ଶନ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା, ପାନୀୟଜଳ ବ୍ୟବସ୍ଥା, ଅଗ୍ନିଶମ ଓ ଅଗ୍ନିନିରୋଧକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ଚିକିତ୍ସା ସୁବିଧା, ଯାନବାହାନ ପାର୍କିଂ ବ୍ୟବସ୍ଥା, ସୂଚନା ପ୍ରଦାନ ବ୍ୟବସ୍ଥା, ମନ୍ଦିର ବେଢା ପରିଷ୍କାର-ପରିଚ୍ଛନ୍ନତା, ମନୋରଞ୍ଜନ ଓ ଭକ୍ତସେବା ସମ୍ପର୍କିତ ବିଷୟରେ ଗଭୀର ଭାବେ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗୀୟ ଅଧିକାରୀ, ଶରଣକୁଳ ସରପଞ୍ଚ, ମନ୍ଦିର ପରିଚାଳକ, ଦେବୋତ୍ତର ମ୍ୟାନେଜର, ସ୍ଥାନୀୟ ସାମ୍ବାଦିକ, ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ଆଲୋଚନାରେ ସକ୍ରିୟ ଭାବେ ସାମିଲ ହୋଇଥିଲେ ।
ଜିଲ୍ଲାପାଳ ମଧୁମିତା ରଥ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ଯାତ୍ରାକୁ ଶୃଙ୍ଖଳାବଦ୍ଧ ଓ ସୁଚାରୁ ଭାବେ ପାଳନ କରିବାକୁ ଆହ୍ୱାନ କରିଥିଲେ । ଯାତ୍ରୀ ଓ ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଓ ସୁସ୍ଥ ପରିବେଶକୁ ପ୍ରାଥମିକତା ଦେବାକୁ ସେ ଜୋର ଦେଇଥିଲେ । ଯାତ୍ରା ପ୍ରସ୍ତୁତିର ପ୍ରଗତି ସମୀକ୍ଷା ପାଇଁ ପରବର୍ତ୍ତୀ ଦିନଗୁଡ଼ିକରେ ଏକାଧିକ ସମୀକ୍ଷା ବୈଠକ ଆୟୋଜନ କରାଯିବାକୁ ପରାମର୍ଶ ଦିଆଯାଇଥିଲା । ସମସ୍ତଙ୍କ ସହଯୋଗରେ ମହାଶିବରାତ୍ରୀ ଯାତ୍ରା–୨୦୨୬ କୁ ସଫଳ, ଶାନ୍ତିପୂର୍ଣ୍ଣ ଓ ଐତିହ୍ୟବାହୀ ଭାବେ ପାଳନ କରାଯିବ ବୋଲି ଆଶା ପ୍ରକାଶ କରାଯାଇଛି ।

Leave A Reply

Your email address will not be published.