ଓଡ଼ଗାଁ,୨୯୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଅନ୍ୟତମ ବିଚ୍ଛିନ୍ନାଞ୍ଚଳ ବାଣ୍ଠପୁର ପଞ୍ଚାୟତ ଅନ୍ତର୍ଗତ ନାଣ୍ଡିଗିରି ଗାଁର ଭାଲୁ ଆକ୍ରମଣରେ ଦୁଇ ଆଖି ହରାଇ ଶତପ୍ରତିଶତ ଦୃଷ୍ଟିହୀନ ବୃଦ୍ଧା ହେମ ଜାନୀଙ୍କୁ ଶେଷରେ ମିଳିଛି ରାସନ କାର୍ଡ। ଦୀର୍ଘଦିନ ଧରି ଆଧାର କାର୍ଡ ନଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ଥିବା ହେମ ଜାନୀଙ୍କ ଦୁଃଖଦ ଖବର ପାଇବା ପରେ ଓଡ଼ଗାଁ ଖାଦ୍ୟ ଯୋଗାଣ ଅଧିକାରୀ ମଳୟ ମେହେର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ସମସ୍ତ ତଥ୍ୟ ଅବଗତ ହେବା ପରେ ସେ ନିଜେ ଗାଁକୁ ଯାଇ, ହେମ ଜାନୀଙ୍କୁ ଭୋଟ ପରିଚୟପତ୍ର ଆଧାରରେ ରାସନ କାର୍ଡ ପ୍ରଦାନ କରିଥିଲେ। ରାସନ କାର୍ଡ ପାଇବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିବା ହେମ ଜାନୀ ଯୋଗାଣ ଅଧିକାରୀଙ୍କ ମୁଣ୍ଡରେ ହାତ ରଖି “ବାବୁ, ତୁମ ସାହାଯ୍ୟ ସବୁବେଳେ ମନେ ରହିବ”
ବୋଲି କହି ଆଶିର୍ବାଦ କରିଥିଲା।
କେବଳ ରାସନ କାର୍ଡ ନୁହେଁ, ସେଠାରେ ହେମ ଜାନୀଙ୍କୁ ୨୦ କିଲୋଗ୍ରାମ୍ ଚାଉଳ ସହିତ ୫ ଶହ ଟଙ୍କା ନଗଦ ଅର୍ଥ ହାତଖର୍ଚ୍ଚ ପାଇଁ ଦେଇଥିଲେ। ହେଲେ ଦୁଃଖର ବିଷୟ, ଦୁଇ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ହେମ ଜାନୀଙ୍କ ଆଧାର କାର୍ଡ ପ୍ରସ୍ତୁତ ହୋଇପାରୁନାହିଁ। ଏହି କାରଣରୁ ସେ ଏପର୍ଯ୍ୟନ୍ତ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି। ଯଦିଓ ଆଧାର ପ୍ରସ୍ତୁତି ପାଇଁ ବିକଳ୍ପ ବ୍ୟବସ୍ଥା ଥିବା ସତ୍ତ୍ୱେ ଏହି ନିରିହ, ଅନୁସୂଚୀତ ଜନଜାତିର ଭିନ୍ନକ୍ଷମ ବୃଦ୍ଧାଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ସ୍ଥାନୀୟ ଲୋକଙ୍କ ମତରେ, ଜିଲ୍ଲା ପ୍ରଶାସନ ଯଦି ଏଥିପ୍ରତି ସଂବେଦନଶୀଳ ଭାବ ପ୍ରକାଶ କରନ୍ତେ, ତେବେ ହେମ ଜାନୀଙ୍କ ଆଧାର କାର୍ଡ ପ୍ରସ୍ତୁତି, ଡିଜିଟାଲ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଅନଲାଇନ ଆବେଦନ ମାଧ୍ୟମରେ ବର୍ଦ୍ଧିତ ଭତ୍ତା ପାଇଁ ପଥ ସୁଗମ ହୋଇପାରନ୍ତା। ଏକ ଅସହାୟ, ଦୃଷ୍ଟିହୀନ ବୃଦ୍ଧାଙ୍କ ଜୀବନ ସଂଗ୍ରାମ, ପ୍ରଶାସନିକ ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ୱବୋଧ ପ୍ରତି ପ୍ରଶ୍ନ ଉଠାଉଛି।
Sign in
Sign in
Recover your password.
A password will be e-mailed to you.