ଆଠ ଦିନ ହେଲା ମାଙ୍କଡ଼ ମୁଣ୍ଡରେ ଚକଲେଟ ଡବା

2

ମାଙ୍କଡ଼ ମୁଣ୍ଡରୁ ଡବା କାଢ଼ିବା ପାଇଁ ବନବିଭାଗର ତତ୍ପରତା

ବେଲଗୁଣ୍ଠା, -(ଶିବରାମଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ରତ୍ନପୁର ଅଞ୍ଚଳରେ ପ୍ରାୟ ଆଠ ଦିନ ହେଲା ଏକ ପ୍ଲାଷ୍ଟିକ ଚକଲେଟ ଡବା ଭିତରେ ମାଙ୍କଡ଼ର ମୁଣ୍ଡ ପଶି ଏଣେତେଣେ ବୁଲୁଥିବାର ଲୋକେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଗାଙ୍ଗପୁର ବନପାଳ ଶଙ୍କର୍ଷଣ ଗୌଡ଼ ତାଙ୍କର ଉଦ୍ଧାର ଦଳ ସହ ଜାଲ ଓ ବିଭିନ୍ନ ସରଞ୍ଜାମ ଧରି ମାଙ୍କଡ଼କୁ ଉଦ୍ଧାର କରି ତାର ମୁଣ୍ଡରୁ ପ୍ଲାଷ୍ଟିକ ଡବା କାଢ଼ିବା ପାଇଁ ତତ୍ପରତା ଦେଖାଇଛନ୍ତି। ଖବରରୁ ଜଣାପଡିଛି, ପ୍ରାୟ ଆଠ ଦିନ ହେବ ଏକ ପାତି ମାଙ୍କଡ଼ ନେଟଙ୍ଗାର ଜନୈକ ଦୋକାନରୁ ଏକ ବିସ୍କୁଟ ଡବା ନେଇ ପଳିଆସିଥିଲା ଓ ଡବା ଭିତରେ ମୁଣ୍ଡ ପୁରାଇ ଖାଇବା ପରେ ଧଳା ପ୍ଲାଷ୍ଟିକ ଡବାଟି ମାଙ୍କଡ଼ ମୁଣ୍ଡରୁ କାଢିବା ପାଇଁ ବହୁ ଚେଷ୍ଟା କରି ବିଫଳ ହେବାରୁ ସେ ଏଣେତେଣେ ଦୌଡି ଏକ ଗଛ ଉପରେ ଚଢି ଯାଇଥିଲା। ଡବାଟି ଧଳା ରଙ୍ଗର ହୋଇଥିବାରୁ ସେ ପ୍ରାଞ୍ଜଳ ଭାବରେ ଦେଖିପାରି ବୁଲୁଥିଲା। ପ୍ରାୟ ଏକ ସପ୍ତାହ ହେବ ଖାଦ୍ୟ ନ ଖାଇପାରି ମାଙ୍କଡଟି ଦୁର୍ବଳ ହୋଇଯାଇଥିବାରୁ ଗଛ କୁ ଗଛ ନ ଡେଇଁ ପାରିଲେ ମଧ୍ୟ ଜୀବନ ବିକଳରେ ଏଣେତେଣେ ଧାଉଁ ଥିବାର ଲକ୍ଷ୍ୟ କରାଯାଇଛି। ନେଟଙ୍ଗା ଓ ରତ୍ନପୁର ଅଞ୍ଚଳର ବହୁତ ଲୋକ ରୁଣ୍ଡ ହୋଇ ଦୁର୍ବଳ ମାଙ୍କଡଟିର ଏହି କରୁଣ ଦୃଶ୍ୟ ଦେଖୁଥିବାର ଗାଙ୍ଗପୁର ବନପାଳ ଶଙ୍କର୍ଷଣ ଗୌଡ଼ ଖବର ପାଇବାପରେ ନେଟଙ୍ଗାରେ ପହଞ୍ଚି ମାଙ୍କଡ଼ଟିକୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ ଚେଷ୍ଟା ଚଲାଇଛନ୍ତି। ମାଙ୍କଡ଼ଟିକୁ କିଛି ଲୋକ କଦଳୀ ଓ ବିଭିନ୍ନ ଖାଇବାକୁ ଦେଇ ଧରିବା ପାଇଁ ଚେଷ୍ଟା କରିଥିଲା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ମାଙ୍କଡ଼ ଟିକୁ କାବୁ କରିପାରିନଥିଲେ। ଆଜି ରାତିସୁଦ୍ଧା ମାଙ୍କଡଟିକୁ ପ୍ଲାଷ୍ଟିକ ଡବାରୁ ଉଦ୍ଧାର କରାଯିବ ବୋଲି ବନପାଳ ଶଙ୍କର୍ଷଣ ଗୌଡ଼ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.