ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ବ୍ୟାପକ ଜବରଦଖଲ ଉଛେଦ ଅଭିଯାନ ଆରମ୍ଭ ହୋଇଯାଇଛି। ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନ ବିଜେପୁର ବସ୍ଷ୍ଟାଣ୍ଡ ଠାରୁ ଆନନ୍ଦ ନଗର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ରେ କରାଯାଇଛି।ଦୀର୍ଘ ଦିନ ଧରି ରାସ୍ତା ଓ ସରକାରୀ ଜମି ଉପରେ ହୋଇଥିବା ଅବୈଧ ଦଖଲ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜି ଏହି କଠୋର ପଦକ୍ଷେପ ନିଆଯାଇଛି।ଅଭିଯାନର ନେତୃତ୍ୱ ନେଇଥିଲେ ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ। ତାଙ୍କ ସହ ଅତିରିକ୍ତ ତହସିଲଦାର ଜ୍ୟୋତିପ୍ରକାଶ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଜ୍ଞବିଭୂଦତ୍ତ ସାହୁ ଓ ବିଜେପୁର ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ସହ ପୁଲିସ୍ ଓ ପ୍ରଶାସନର ଅନେକ କର୍ମଚାରୀ ଉପସ୍ଥିତ ଥିଲେ।
ଜେସିବି ମେସିନ୍ ସହାୟତାରେ ରାସ୍ତା ଉପରେ ଓ ରାସ୍ତା ପାଖରେ ଥିବା ଅସ୍ଥାୟୀ ଦୋକାନ, ଘରର ବାହାର ଅଂଶ, ଟିନ୍ ସେଡ୍ ଓ ଅନ୍ୟାନ୍ୟ ଅବୈଧ ଗଠନଗୁଡ଼ିକୁ ହଟାଯାଇଛି। ଅଭିଯାନ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନଥିବା ବେଳେ ପୁଲିସ୍ ପକ୍ଷରୁ କଢ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।କିଛି ସ୍ଥାନରେ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପୂର୍ବରୁ ନୋଟିସ୍ ଦିଆଯାଇଥିବା କଥା କୁହାଯାଇଛି। ପ୍ରଶାସନ ଅଧିକାରୀମାନେ ସଫା ସଫା କହିଛନ୍ତି ଯେ, ସରକାରୀ ଜମି ଉପରେ ଅବୈଧ ଦଖଲ କୌଣସି ପରିସ୍ଥିତିରେ ମଧ୍ୟ ବର୍ଦାସ୍ତ କରାଯିବ ନାହିଁ।ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ, ନଗରର ସୁସଂଗଠିତ ବିକାଶ, ସ୍ୱଚ୍ଛତା ଓ ଯାତାୟାତ ସୁବିଧା ସୁଧାରିବା ପାଇଁ ଏହି ଅଭିଯାନ ଅତ୍ୟନ୍ତ ଆବଶ୍ୟକ। ଆଗାମୀ ଦିନରେ ବିଜେପୁର ଅଞ୍ଚଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏପରି ଜବରଦଖଲ ଉଛେଦ ଅଭିଯାନ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.