ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ହାତରୁ ପୁରସ୍କୃତ ହେଲେ କୃତି ପ୍ରତିଯୋଗୀ,

2

ଇଂରାଜୀ ବକ୍ତୃତାରେ ଜିଲ୍ଲାରେ ପ୍ରଥମ ହେଲେ “ଓମ୍ ସ୍ବସ୍ତି”

ଓଡ଼ଗାଁ, ୨୬।୧(ଶ୍ରୀକାନ୍ତ କୁମାର ମିଶ୍ର):: ନୟାଗଡ଼ ଜିଲ୍ଲା ପ୍ରଶାସନର ଅନୁକୁଲ୍ୟରେ ପିଟିଏସ୍ ପଡିଆଠାରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ–୨୦୨୬ ଅବସରରେ ଓଡ଼ଗାଁ ଆଖୁପଦର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଗରିମାମୟ ଭାବେ ପୁରସ୍କୃତ ହୋଇଛନ୍ତି। ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ମଧୁସ୍ମିତା ରଥ ଅତିଥି ଭାବେ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓ.ଏ.ଭି. ଓଡ଼ଗାଁର ୯ମ ଶ୍ରେଣୀର ଛାତ୍ରୀ ଓମ୍ ସ୍ବସ୍ତି ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ହାତରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହା ସହିତ ଇଂରାଜୀ ରଚନା ପ୍ରତିଯୋଗିତାରେ କୀର୍ତ୍ତିରାଜି ୨ୟ ସ୍ଥାନ ଏବଂ ଗୀତ ପ୍ରତିଯୋଗିତାରେ ସାଇସିଦ୍ଧି ମିଶ୍ର ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହା ସହ, ବ୍ଲକ୍ କଲୋନୀ ସରକାରୀ ବିଦ୍ୟାଳୟ ଓଡ଼ଗାଁର ଦ୍ବିତୀୟ ଶ୍ରେଣୀର ଛାତ୍ର ଆୟୁଷମନ୍ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ ଗିରିଡିପଲ୍ଲିର ଷଷ୍ଠ ଶ୍ରେଣୀର ଛାତ୍ର ଜୀବନ ନାୟକ (ଗୀତ–୨ୟ ସ୍ଥାନ), ସରକାରୀ ପ୍ରାଥମିକ ବିଦ୍ୟାଳୟ ମକରପଦାର ତୃତୀୟ ଶ୍ରେଣୀର ଛାତ୍ର ଆଦିତ୍ୟ ମିଶ୍ର (ଫ୍ୟାନ୍ସି ଡ୍ରେସ–୨ୟ ସ୍ଥାନ) ଏବଂ କେଏସବି ପବ୍ଲିକ ସ୍କୁଲ, ଭିକାରିପଡାର ଛାତ୍ରୀ ସୂତପା ମହାପାତ୍ର (ଇଂରାଜୀ ବକ୍ତୃତା–କନିଷ୍ଠ ବିଭାଗ) ଟ୍ରଫି ଓ ପ୍ରମାଣପତ୍ର ପାଇ ପ୍ରଶଂସିତ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ଓ.ଏ.ଭି. ଓଡ଼ଗାଁର ଛାତ୍ରୀ ଓମ୍ ସ୍ବସ୍ତି ତ୍ରିପାଠୀ ଏଥିପୂର୍ବରୁ ମଧ୍ୟ ଓଡ଼ଗାଁ ଏନ୍ଏସି ସ୍ତରୀୟ “ବନ୍ଦେ ମାତରଂ” ପ୍ରତିଯୋଗିତାରେ ଆୟୋଜିତ ଓଡ଼ିଆ ବକ୍ତୃତାରେ ପ୍ରଥମ ସ୍ଥାନ ଅଧିକାର କରି ସାଧାରଣରେ ପ୍ରଶଂସିତ ହୋଇଥିଲେ। ଏହି ସଫଳତା ସମଗ୍ର ଓଡ଼ଗାଁ ଅଞ୍ଚଳ ପାଇଁ ଗୌରବର ବିଷୟ ହୋଇଥିବା ବେଳେ ଶିକ୍ଷକମଣ୍ଡଳୀ, ଅଭିଭାବକମାନେ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତର ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.