ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୨୫/୦୧):- ପଦ୍ମପୁର ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ସାଇକେଲ ଚୋରି ଘଟଣାର ସଫଳ ପର୍ଦାଫାସ କରିଛି ପଦ୍ମପୁର ପୋଲିସ। ଏହି ଘଟଣାରେ ପୋଲିସ ୨୪ ଗୋଟି ଚୋରା ସାଇକେଲ ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ର ସୂଚନା ଅନୁସାରେ,ଜାନୁଆରୀ ୨୨ ତାରିଖରେ ପଦ୍ମପୁର କାଲିପଡା ନିବାସୀ ଜିତ ପଟେଲ ପଦମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ ୨୦ ଜାନୁୟାରୀ ଦ୍ବିପହର ୨ଟାରୁ ୩ଟା ମଧ୍ୟରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କ ଘରର ପାଚେରୀ ଡେଇଁ ପ୍ରବେଶ କରି ତାଙ୍କ ଝିଅର ଏକ ସାଇକେଲ ଚୋରି କରି ନେଇଥିଲେ। ଘଟଣାର ତଦନ୍ତ ସମୟରେ ଘଟଣାସ୍ଥଳ ନିକଟସ୍ଥ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଖଇରପାଲି ଗାଁର ବଲ୍ଲଭ ମଟାରି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ହୋଇଥିଲା। ପଚରାଉଚରା ବେଳେ ବଲ୍ଲଭ ମଟାରି ସ୍ୱୀକାର କରିଥିଲେ ଯେ ସେ ପଦ୍ମପୁର ସହର ଓ ପାଶ୍ୱର୍ତ୍ତୀ ଅଞ୍ଚଳରୁ ମୋଟ ୨୪ ଗୋଟି ସାଇକେଲ ଚୋରି କରିଥିଲେ। ଚୋରା ସାଇକେଲ ଗୁଡ଼ିକୁ କମ୍ ଦାମରେ ଜାଣିଶୁଣି ଚୋରା ବୋଲି ସତ୍ତ୍ୱେ ଖଇରପାଲି ଗାଁର ଶ୍ୟାମ ମହାର, ରସିକା ମହାର, ଉସତ ତାଣ୍ଡି, ଆନନ୍ଦ ମହାର, ସଦାନନ୍ଦ ଗିରି ଓ ସଞ୍ଜୟ ମେହେରଙ୍କୁ ବିକ୍ରି କରାଯାଇଥିବା ସେ ପ୍ରକାଶ କରିଥିଲେ। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସାକ୍ଷୀ ମାନଙ୍କ ଉପସ୍ଥିତିରେ ଚୋରା ସାଇକେଲ ଗୁଡ଼ିକୁ ଜବତ କରିଛି। ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post