କେସିଙ୍ଗାରେ ମେଗା ଏଡମିସନ୍ ମେଳା: ୨୧୮ ବିଦ୍ୟାଳୟ ବାହାରେ ରହିଥିବା ଶିଶୁ-କିଶୋରମାନଙ୍କର ଏନ୍‌ଆଇ‌ଓ‌ଏସ୍‌ ଓ ଏସ୍‌ଆଇ‌ଓ‌ଏସ୍‌ରେ ଭର୍ତ୍ତି

3

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କେସିଙ୍ଗା ବ୍ଲକ୍ ଶିକ୍ଷା ଅଫିସ୍‌ ପକ୍ଷରୁ ସ୍ଥାନୀୟ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ଠାରେ ବିଦ୍ୟାଳୟ ବାହାରେ ରହିଥିବା ଶିଶୁ-କିଶୋରମାନଙ୍କ ପାଇଁ ଆୟୋଜିତ ମେଗା ଏଡମିସନ୍ ମେଳାରେ ୨୧୮ ଜଣ ଛାତ୍ର-ଛାତ୍ରୀମାନେ ନିଜ ପ୍ରଯୁଜ୍ୟ ଦସ୍ତାବିଜ୍‌ ପ୍ରଦାନ କରି ଏନ୍‌ଆଇ‌ଓ‌ଏସ୍‌ (ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ) ଓ ଏସ୍ ଆଇ ଓ ଏସ୍ ରେ ଭର୍ତ୍ତି ପାଇଁ ଆବେଦନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୯୧ ଜଣ ଏନ୍‌ଆଇ‌ଓ‌ଏସ୍‌ରେ ଏବଂ ୨୭ ଜଣ ଏସ୍‌ଆଇ‌ଓ‌ଏସ୍‌ରେ ଭର୍ତ୍ତି ହେବେ।
କେସିଙ୍ଗା ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଆନନ୍ଦ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଶ୍ରୀ ସମ୍ପତି ଛୁରା (ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ), ଶ୍ରୀ ରାମଚନ୍ଦ୍ର ସା (ଏବିଇଓ), ଶ୍ରୀ ହେମନ୍ତ କୁମାର ବାଗ (ସେଣ୍ଟର୍ କୋଅର୍ଡିନେଟର୍, ଏସ୍‌ଆଇ‌ଓ‌ଏସ୍‌), ଶ୍ରୀ ଅକ୍ଷୟ କୁମାର ଭୋଇ (ଏମ୍‌ଆଇ‌ଏସ୍‌ କୋଅର୍ଡିନେଟର୍), ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଏବଂ ୧୩ଟି କ୍ଲଷ୍ଟର୍‌ର ସମସ୍ତ ସିଆର୍‌ସିସିମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ଛାତ୍ର-ଛାତ୍ରୀମାନଙ୍କୁ ସ୍ୱାଗତ ଜାଣାଇ ପାଠପଢ଼ାରେ ବ୍ରତୀ ହୋଇ ଭାରତର ସମ୍ମାନିତ ନାଗରିକ ହେବାକୁ ପ୍ରେରଣା ଦେଇଥିଲେ। ଏହି ମେଳା ଅଶିକ୍ଷାର ଅନ୍ଧକାରରୁ ମୁକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ କାର୍ଯ୍ୟକରି ନୂତନ ଆଲୋକ ସଞ୍ଚାର କରିଛି।

Leave A Reply

Your email address will not be published.