ସରକାରୀ ନିର୍ଦ୍ଦେଶ ଉଲ୍ଲଂଘନର ଗୁରୁତର ଅଭିଯୋଗ, ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ
ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):- ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ ଲଇତରା ଗ୍ରାମରେ ଅବସ୍ଥିତ ଏକ ରାଇସ୍ ମିଲ୍ରେ ଦିନ ଦ୍ୱିପହର ସମୟରେ ଚୋରା ଧାନ ପ୍ରବେଶ କରିବା ଅଭିଯୋଗ ହୋଇଛି । ଦିବାଲୋକରେ, ସରକାରୀ ନିୟମକୁ ଅବମାନନା କରି, ପିକ୍ଅପ୍ ମାଧ୍ୟମରେ ଅଜଣା ଉତ୍ସରୁ ଆସିଥିବା ଧାନ ମିଲ୍ ଭିତରକୁ ପ୍ରବେଶ କରାଯାଇଥିବା ନେଇ ଗୁରୁତର ପ୍ରଶ୍ନ ଉଠିଛି।ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଧାନ କ୍ରୟ ଋତୁ ଚାଲୁଥିବା ସମୟରେ ଏଭଳି ଭାବରେ ଚୋରା ଧାନ ରାଇସ୍ ମିଲ୍ରେ ପ୍ରବେଶ କରିବା ଘଟଣା ସରକାରୀ ବ୍ୟବସ୍ଥାକୁ ସିଧାସଳଖ ଆଘାତ କରୁଛି। ଯେଉଁଠାରେ ସତ୍ୟବାନ୍ ଚାଷୀ ମଣ୍ଡିରେ ଦିନ ଦିନ ଧରି ଟୋକେନ୍ ନେଇ ଅପେକ୍ଷା କରୁଛନ୍ତି, ସେଠାରେ ଦଲାଲ ଓ ମିଲ୍ ମାଲିକଙ୍କ ମିଳିତ ସାଠଗାଠରେ ଅବୈଧ ଧାନ ବ୍ୟବସାୟ ଚାଲିଥିବା ଅଭିଯୋଗ ଉଠିଛି। ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁସାରେ, କେବଳ PACS/ମଣ୍ଡି ମାଧ୍ୟମରେ କ୍ରୟ ହୋଇଥିବା ଧାନ ମାତ୍ର ରାଇସ୍ ମିଲ୍କୁ ଯାଇପାରିବ।
ଧାନ ପରିବହନ ସମୟରେ ଇ-ପର୍ମିଟ୍, ଚାଲାଣ ଓ ଟୋକେନ୍ ଅନିବାଯ୍ୟ। ଜିଲ୍ଲା ପ୍ରଶାସନଙ୍କ ଅନୁମତି ବିନା କୌଣସି ଧାନ ମିଲ୍ରେ ସଂଗ୍ରହ କରାଯିବା ଅବୈଧ। କିନ୍ତୁ କତରକେଲା ଗ୍ରାମ ପଞ୍ଚାୟତ ଲଇତରା ର ରାଇସ୍ ମିଲ୍ରେ ଏହି ସମସ୍ତ ନିୟମକୁ ଅମାନ୍ୟ କରି ଦିନ ଦ୍ୱିପହରରେ ଧାନ ଭିତରକୁ ପ୍ରବେଶ କରାଯାଇଥିବା ଦୃଶ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଭୟଙ୍କର ଆକ୍ରୋଶ ଦେଖାଦେଇଛି। ଚାଷୀମାନେ ପ୍ରଶ୍ନ କରୁଛନ୍ତି-“ଯଦି ସରକାରୀ ଧାନ କ୍ରୟ ପ୍ରଣାଳୀ ଠିକ୍ ଭାବରେ ଚାଲୁଛି, ତେବେ ଏହି ଚୋରା ଧାନ କେଉଁଠୁ ଆସୁଛି ? ପ୍ରଶାସନ କାହିଁକି ଚୁପ୍?”
ସାମାଜିକ ସଂଗଠନ ଓ ସଚେତନ ନାଗରିକମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ମିଲ୍ ମାଲିକଙ୍କ ଲାଇସେନ୍ସ ବାତିଲ୍ ଏବଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଯଦି ସମୟରେ ପଦକ୍ଷେପ ନିଆଯାଏ ନାହିଁ, ତେବେ ଏଭଳି ଚୋରା ଧାନ ବ୍ୟବସାୟ ସରକାରୀ ବ୍ୟବସ୍ଥାକୁ ପୂରାପୁରି ଭାଙ୍ଗିଦେବ ଏବଂ ସତ୍ୟବାନ୍ ଚାଷୀ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବେ ବୋଲି ଚାଷୀ ମହଲରେ ହତାଶା ଓ ନିରାଶା ର ବାତାବରଣ ଘେରି ଯାଇଛି।