ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷା ପରିଭ୍ରମଣ

2

ଓଡ଼ଗାଁ, ୫।୧(ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସମ୍ବନ୍ଧୀୟ ପରିଭ୍ରମଣ କାର୍ଯ୍ୟକ୍ରମ ତା. ୦୪.୦୧.୨୦୨୬ ରିଖ ରବିବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ପରିଭ୍ରମଣ ଆୟୋଜିତ ହୋଇଥିଲା ।
ଏହି ଅବସରରେ ବିଦ୍ୟାଳୟର ୧୯୦ ଜଣ ଛାତ୍ରୀ ପାଞ୍ଚଟି ବସ୍‌ ଯୋଗେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଗମନ କରି ରାଜ୍ୟ ସଂଗ୍ରାହଳୟ ଓ ସାଇନ୍ସ ପାର୍କ ପରିଭ୍ରମଣ କରିଥିଲେ। ସଂଗ୍ରାହଳୟରେ ଥିବା ଐତିହାସିକ, ପୁରାତତ୍ତ୍ୱିକ ଓ ସାଂସ୍କୃତିକ ଦୃଶ୍ୟବଳୀ ଦେଖି ଛାତ୍ରୀମାନେ ରାଜ୍ୟର ଗୌରବମୟ ଇତିହାସ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ସାଇନ୍ସ ପାର୍କରେ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରୟୋଗାତ୍ମକ ମଡେଲ୍‌ ଓ ଯନ୍ତ୍ରପାତି ଦେଖି ପିଲାମାନଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଓ କୁତୁହଳ ବୃଦ୍ଧି ପାଇଥିଲା। ପରିଭ୍ରମଣ ସମୟରେ ଛାତ୍ରୀମାନଙ୍କର ନୈତିକ, ବୌଦ୍ଧିକ ଓ ସାମାଜିକ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ବିଷୟ ଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସେମାନଙ୍କୁ ଯଥାଯଥ ମାର୍ଗଦର୍ଶନ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳନା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।
ଏପରି ଶିକ୍ଷାମୂଳକ ପରିଭ୍ରମଣ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କର ପାଠ୍ୟପୁସ୍ତକ ଭିତ୍ତିକ ଜ୍ଞାନ ସହିତ ପ୍ରାୟୋଗିକ ଅନୁଭବକୁ ଯୋଡ଼ି ତାଙ୍କ ସାର୍ବାଙ୍ଗୀଣ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ମତ ପ୍ରକାଶ କରିଥିଲେ।

Leave A Reply

Your email address will not be published.