ବିଜେପୁର : ଘେଁସ ଅଞ୍ଚଳରୁ ଜଣେ ଅସହାୟ ଓ ମାନସିକ ବିକୃତ ମହିଳାଙ୍କୁ ଆଜି ସଫଳତାର ସହିତ ଉଦ୍ଧାର କରାଯାଇ ସୋନପୁର ସ୍ଥିତ ଜିଲ୍ଲା ମାନସିକ ପୁନର୍ବାସ କେନ୍ଦ୍ରରେ ସୁରକ୍ଷିତ ଭାବେ ଥଇଥାନ କରାଯାଇଛି l
ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଉକ୍ତ ମହିଳା ଘେଁସ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନାଥ ଓ ଅସହାୟ ଅବସ୍ଥାରେ ଘୁରି ବୁଲୁଥିଲା। ସ୍ଥାନୀୟ ଲୋକମାନେ ତାଙ୍କର ଅବସ୍ଥା ଦେଖି ସମ୍ବେଦନଶୀଳ ହୋଇ ଏହାକୁ ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।ଉଦ୍ଧାର କାର୍ଯ୍ୟରେ ସୋହେଲା ବ୍ଲକ ଅଧିକାରୀ (ବିଡ଼ିଓ) ଘେଁସ ଗ୍ରାମ ପଞ୍ଚାୟତର ସରପଞ୍ଚ ଗୋକୁଳ ଦାସ, ଅସିତ ସ୍ୱାଇଁ ସାମାଜିକ କର୍ମୀ ମୁରଲୀ ଭୋଇ, ଅଭିଜିତ ଫାଉଣ୍ଡେସନ ଏବଂ ଘେଁସ ଅଞ୍ଚଳର ସ୍ୱେଚ୍ଛାସେବୀ ବନ୍ଧୁମାନେ ସକ୍ରିୟ ଭାବେ ଭାଗ ନେଇଥିଲେ। ସମସ୍ତଙ୍କ ସମନ୍ୱୟ ଓ ସହଯୋଗରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ଉଦ୍ଧାର ପରେ ମହିଳାଙ୍କର ପ୍ରାଥମିକ ଚିକିତ୍ସା ଓ ଆବଶ୍ୟକ ଯାଞ୍ଚ ସମ୍ପନ୍ନ କରାଯାଇ, ଅଭିଜିତ ଫାଉଣ୍ଡେସନର ତତ୍ତ୍ୱାବଧାନରେ ସୋନପୁର ସ୍ଥିତ ଜିଲ୍ଲା ମାନସିକ ପୁନର୍ବାସ କେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା, ଯତ୍ନ ଓ ପୁନର୍ବାସ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡ଼ିଛି।ଏହି ଘଟଣା ମାନବିକତା ଓ ସାମାଜିକ ଦାୟିତ୍ୱର ଏକ ଉତ୍ତମ ଦୃଷ୍ଟାନ୍ତ ବୋଲି ଅଞ୍ଚଳବାସୀମାନେ ମତ ପ୍ରକାଶ କରିଛନ୍ତି। ଅସହାୟ ଓ ମାନସିକ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କ ପ୍ରତି ସମାଜ ଓ ପ୍ରଶାସନ ଏଭଳି ସଚେତନ ହେଲେ ଅନେକ ଜୀବନ ସୁରକ୍ଷିତ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.