ଦୁଇ ଘଣ୍ଟା ବିଳମ୍ବରେ ଉଦଯାପନ କାର୍ଯ୍ୟକ୍ରମ
ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରିୟ ଆବିଷ୍କାର ଅଭିଯାନ ନୟାଗଡ଼ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଉଦଘାଟନ କରିଥିଲେ । ବିଭିନ୍ନ ବ୍ଲକ ସ୍ତରରେ ହୋଇଥିବା ବିଜ୍ଞାନମେଳାରୁ କୃତ୍ତିତ୍ୱ ଅର୍ଜ୍ଜନ କରି ଜିଲ୍ଲା ସ୍ତରକୁ ଆସିଥିବା ୧୩୬ଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା । ଏହି ଅବସରରେ ଅପରାହ୍ନରେ ୨ଟା ୩୦ ସମୟରେ ଉଦଯାପନ ସଭା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରାଯାଇଥିଲା । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ୨ଟା ୩୦ ବେଳକୁ ଅପେକ୍ଷା କରିଥିଲେ ମଧ୍ୟ ଉଦଯାପନ ସଭା ଆରମ୍ଭ କରାଯାଇନଥିଲା । ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବାରମ୍ବାର କିଛି ସମୟ ମଧ୍ୟରେ ସଭା ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ । ଅପରାହ୍ନ ୪ଟା ୩୦ରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ପହଞ୍ଚିବା ପରେ ସଭା ଆରମ୍ଭ ହୋଇଥିଲା । ପୂର୍ବତନ ସାଂସଦ ଅନିମନ୍ତ୍ରିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିମନ୍ତ୍ରଣ ପତ୍ରରେ ତାଙ୍କ ନାଁ ନଥିଲା । ଏହି ଉଦଯାପନ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ, ସଂନ୍ଧ୍ୟାରାଣୀ ରାଉତ, ବନଲତା ବେହେରା, ବିଜ୍ଞାନ ନୀରିକ୍ଷକ ଶରତ ଚନ୍ଦ୍ର ସାହୁ ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ମଞ୍ଚାସୀନ ହୋଇଥିଲେ । ଲାଠିପଡ଼ା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ମୂଳକ ନୃତ୍ୟ ପରିବେଷଣ ହୋଇଥିଲା । ଉଦଯାପନ ସଭାର ମୁଖ୍ୟ ଅତିଥି ସାଂସଦ ଡା. ସମ୍ବିତ ପାତ୍ର ତାଙ୍କ ବକ୍ତବ୍ୟ ଆରମ୍ଭରୁ ବିଳମ୍ବ ପାଇଁ କ୍ଷମା ପାର୍ଥନା କରିଥିଲେ । ସେ ବିଭିନ୍ନ ଉଦାହରଣ ଦେବା ସହ ଛାତ୍ରଛାତ୍ରୀମାନେ ପରିଶ୍ରମ ଦ୍ୱାରା ରାଜ୍ୟ ଓ ଦେଶରେ ନାଁ କମାଇବାକୁ ଆହ୍ୱାନ ଦେଇଥିଲେ । କୃତ୍ତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ, ଏବିଇଓ ଏବଂ ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ସ୍ତରରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବାକୁ ବିଜ୍ଞାନ ନୀରିକ୍ଷକ ଘୋଷଣା କରିଥିଲେ ।