ଆନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରଶାସନିକ କ୍ଷମତାକୁ ଅଧ୍ୟାପିକାଙ୍କ ଚାଲେଞ୍ଜ,

0 2

ଉପଜିଲ୍ଲାପାଳଙ୍କ ନିକଟରେ ଅଧ୍ୟକ୍ଷଙ୍କ ଅଭିଯୋଗ

ଓଡ଼ଗାଁ,୨୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ ଆନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ରଙ୍କ ପ୍ରଶାସନିକ କ୍ଷମତାକୁ ଇତିହାସ ବିଭାଗ ଅଧ୍ୟାପିକା ଦିପାଳି ସାହୁଙ୍କ ଚାଲେଞ୍ଜ ଘଟଣାକୁ ନେଇ ଅଧ୍ୟକ୍ଷ ସୋମବାର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗ ଅନୁସାରେ ଉଚ୍ଚ ମାଧ୍ୟମିକ ବାର୍ଷିକ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପରୀକ୍ଷା (ଏଏଚ୍ଏସ୍ଇ-୨୦୨୬) ନିମନ୍ତେ ଅଧ୍ୟକ୍ଷ ଦିନ ଧାର୍ଯ୍ୟ କରିଥିବା ବେଳେ ଇତିହାସ ଅଧ୍ୟାପିକା ଏହାକୁ ବିରୋଧ କରିଥିଲେ ।ଉକ୍ତ ଘଟଣାକୁ ନେଇ ଗତ ଶନିବାର ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ତାହା ମନାନ୍ତରରେ ପରିଣତ ହେଲା । କଲେଜ ପରୀକ୍ଷା ପରିଚାଳନାକୁ ନେଇ ଅଧ୍ୟାପିକା ଉଠାଇଥିବା ପ୍ରଶ୍ନର ଅଧ୍ୟକ୍ଷ ପ୍ରତ୍ୟୁତ୍ତର ରଖିଥିବା ବେଳେ ଅଧ୍ୟାପିକା ଅଧ୍ୟକ୍ଷଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ସହିତ ଅଶାଳୀନ ମନ୍ତବ୍ୟ ରଖିଥିଲେ । ଏବଂ ବ୍ୟକ୍ତିଗତ ଚରିତ୍ରକୁ ନେଇ ଆକ୍ଷେପ କରିଥିଲେ । ଏପରିକି ଅଧ୍ୟକ୍ଷଙ୍କ ପ୍ରଶାସନିକ କ୍ଷମତାକୁ ନେଇ ଚାଲେଞ୍ଜ କରି ଆନ୍ତରିଣ ଅଭିଯୋଗ କମିଟିକୁ ଅତିକ୍ରମ କରି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ନେଇ କୋମଣ୍ଡ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନୟାଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଓଡ଼ଗାଁ ଆଦର୍ଶ ଥାନାରେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅଧ୍ୟାପିକା ଜଣକ ଶନିବାର ଅଭିଯୋଗ କରିଥିବା ବେଳେ ଅଧ୍ୟକ୍ଷ ମଧ୍ୟ ଅଧ୍ୟାପିକାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । ତେବେ ଉପଜିଲ୍ଲାପାଳଙ୍କ ଦ୍ବାରା ଉପଯୁକ୍ତ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ।

Leave A Reply

Your email address will not be published.