ଓଡ଼ଗାଁ ମିନି ଷ୍ଟାଡିୟମରେ ଯୁବ ଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ ଆୟୋଜିତ,

0 2

୬ଶହ ୨୫ ଖେଳାଳିଙ୍କ ନାମ ପଞ୍ଜିକୃତ

ଓଡ଼ଗାଁ,୨୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଯୁବ ଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ – ୨୦୨୫ର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥାନୀୟ ମିନି ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୦୩୬ ମସିହାରେ ଭାରତ ଅଲମ୍ପିକ୍ସ କ୍ରୀଡ଼ାର ଆୟୋଜକ ହେବା ପାଇଁ ଦାବିଦାର ହୋଇଥିବା ବେଳେ ଠିକ୍ ୧୦ ବର୍ଷ ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ପାଇଁ ସାଂସଦ ଖେଳ ମହୋତ୍ସବ ଅୟୋଜନ କରାଯାଉଛି । ଗାଁରୁ ଜିଲ୍ଲା ଏବଂ ରାଜ୍ୟ ତଥା ଦେଶବ୍ୟାପୀ ବର୍ତ୍ତମାନର ଛାତ୍ରଛାତ୍ରୀ ଆଜି ଯେଉଁମାନେ ସେମାନଙ୍କ ନାମ ପଞ୍ଜିକୃତ କରି ଖେଳରେ ଅଂଶଗ୍ରହଣ କରିଛନ୍ତି ୧୦ ବର୍ଷ ବେଳକୁ ସେମାନଙ୍କ ବୟସ ୨୨ରୁ ୨୩ କିମ୍ବା ୨୫ ବର୍ଷରେ ପହଞ୍ଚିଥିବ। ଏବଂ ସେତେବେଳେ ସମଗ୍ର ଭାରତ ‘ଖେଲୋ ଇଣ୍ଡିଆ ଫିଟ୍ ଇଣ୍ଡିଆ’ ନାରାରେ ଗୁଞ୍ଜରିତ ହେଉଥିବ। ସାରା ବିଶ୍ବର ନଜର ଭାରତ ଉପରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଆୟୋଜକ ଭାରତୀୟ ଖେଳାଳୀ ମାନେ ଉନ୍ନତ ଖେଳ ପ୍ରଦର୍ଶନ କରି ଏକାଧିକ ସ୍ବର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ହାସଲ କଲେ ଆମର ଲକ୍ଷ୍ୟ ସଫଳ ହେବା ସହିତ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଆଶା ଏବଂ ବିଶ୍ୱାସ ସଫଳ ହୋଇପାରିବ ବୋଲି ସାଂସଦ ସମ୍ବିତ ପାତ୍ର ତାଙ୍କ ଅଭିଭାଷଣରେ ଉପସ୍ଥିତ ଖେଳାଳି ଓ ଜନସାଧାରଣଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ଆଜିଠୁ ୩ ଦିନ ଧରି ଚାଲିବାକୁ ଥିବା ସାଂସଦ ଖେଳ ମହୋତ୍ସବରେ ଶହେ ମିଟର ଏବଂ ଦୁଇଶହ ମିଟର ଦୌଡ଼, କବାଡି, ବ୍ୟାଡମିଣ୍ଟନ, ଲଙ୍ଗଜମ୍ପ, ହାଇଜମ୍ପ, ଭଲି, ଖୋଖୋ ଇତ୍ୟାଦି ଖେଳ ପ୍ରତିଯୋଗିତା ବ୍ୟବସ୍ଥା ରହିଛି । ଏବଂ ଆଜିର ଅପରାହ୍ନ ସୁଦ୍ଧା ୬ ଶହ ୨୫ ଜଣ ଖେଳାଳି ନାମ ପଞ୍ଜିକୃତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ କନ୍ଧମାଳ ସାଂସଦ ତଥା ନୟାଗଡ଼ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ମୁଖ୍ୟ ବକ୍ତା ଏବଂ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା ଏବଂ ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହ ଅଧିକାରୀ ନିହାର ରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ତେବେ କାର୍ଯ୍ୟକ୍ରମକୁ ଆୟୋଜକ ମାନଙ୍କ ଦ୍ଵାରା ଖାମଖିଆଲି ଭାବେ ପରିଚାଳନା କରାଯାଇଥିବାରୁ ସକାଳ ୯ ଘଣ୍ଟାରୁ ପ୍ରାୟ ଅପରାହ୍ନ ୩ ପର୍ଯ୍ୟନ୍ତ ଟାଣ ଖରାରେ ପଷ୍ଟାଡିୟମ ମଧ୍ୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଖାଦ୍ୟ ବ୍ୟବସ୍ଥା ଦୁରରକଥା ସାମାନ୍ୟ ପାଣିର ବ୍ୟବସ୍ଥା ନଥିଲା । ଏବଂ ଅତିଥି ମାନେ ମଞ୍ଚରେ ଉପସ୍ଥିତ ରହିଥିବା ବେଳେ କ୍ରିଡ଼ାରେ ଭାଗନେବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବସିବା ପାଇଁ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ଏଭଳି ଅଭାବନୀୟ ପରିସ୍ଥିତିକୁ ଉପସ୍ଥିତ ଜନସାଧାରଣ ନାପସନ୍ଦ କରିଥିଲେ । ଆଗାମୀ ଦୁଇଦିନ କ୍ରିଡ଼ା ଉତ୍ସବ ବେଳେ ପରିଚାଳକ ମାନେ ଏଥିପ୍ରତି ନିଶ୍ଚିତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.