
କେନ୍ଦୁଝର,ତା୫/୧୨- ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଘୁଙ୍ଗି ଗାଁର ସ୍ଵର୍ଗତ ସଦା ଜୁଆଙ୍ଗ ର ବିଧବା ସ୍ତ୍ରୀ ଓ ନାବାଳକ ପିଲା ରହୁଛନ୍ତି ଭଙ୍ଗା ଦଦରା ଘରେ। ନା ବିଜୁ ପକ୍କା ଘର, ନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ମିଳିଛି। ଜଙ୍ଗଲ,ପାହାଡ ଅଞ୍ଚଳରେ ପୋକ ଜୋକ, ସରୀସୃପର ଭୟ ଭିତରେ କଟୁଛି ଜୀବନ। ଅସହାୟ ପରିବାର ସରକାରୀ ସାହାଯ୍ୟ ଆଶାରେ ଚଳୁଛି । ଏହି ଘୁଙ୍ଗି ଗାଁରେ ସଦା ଜୁଆଙ୍ଗର ଘର। ଆଦିମ ବିରଳ ଜନଜାତି ଲୋକ ଘରେ ସ୍ତ୍ରୀ, ଚାରି ଝିଅ, ଗୋଟିଏ ପୁଅକୁ ନେଇ ତା’ର ସଂସାର। କେଳେ ଏକ ବଖରା ଘରେ ରହୁଥିଲେ ସମସ୍ତେ। ବଡ଼ ତିନି ଝିଅଙ୍କ ବାହାଘର ସରିଛି। ତିନି ବର୍ଷ ତଳୁ ସଦାର ମୃତ୍ୟୁ ହୋଇଯାଇଛି। ବିଧବା ସ୍ତ୍ରୀ ସୋମବାରୀ ଝିଅ ମାଣିକ (୧୫) ଓ ପୁଅ ରଘୁ ( ୧୨)କୁ ନେଇ ରହୁଛନ୍ତି। ସଦାର ମୃତ୍ୟୁ ପରେ ବିଧବା ସ୍ତ୍ରୀକୁ କିଛି ସରକାରୀ ସାହାଯ୍ୟ ମିଳିଲା ନାହିଁ। ଜୀବିକା ନିର୍ବାହ ପାଇଁ ତତକ୍ଷଣାତ କିଛି ଆର୍ଥିକ ସାହାଯ୍ୟ ଦେଲେ ନାହିଁ। ବିଧବା ଭତ୍ତା ଗଣ୍ଡାଏ ଧରାଇ ଦେଇ ସରକାର ହାତ ଝାଡ଼ିଦେଲେ। ସୋମବାରୀ ଦୁଃଖ କଷ୍ଟରେ ପରିବାର ପାଳୁଛି। ପକ୍କା ଘର ନାହିଁ ପୁରୁଣା ଘରଟି ଅଧା ଭଙ୍ଗା ଛପର ଉଡିଯାଇଛି। ଏବେ ଜରି ପାଲ ତଳେ ବର୍ଷା ଥଣ୍ଡାରେ ରହୁଛନ୍ତି ପରିବାର। ଆର୍ଥିକ ଅଭାବରୁ ମାଣିକ ଓ ରଘୁର ପଢା ଅଧାରୁ ବନ୍ଦ ହୋଇଯାଇଛି। ଚାଷ ବୋଲି କିଛି ନାହିଁ। ମାଗଣା ଚାଉଳ ଓ ଭତ୍ତା ହଁ ତାଙ୍କ ସମ୍ବଳ। ତିନି ଜଣର ପରିବାରକୁ ଏ ଚାଉଳ ଅଣ୍ଟୁ ନାହିଁ ଦୁଃଖ କଷ୍ଟରେ ବିତୁଛି ଜୀବନ। ଘର ଖଣ୍ଡିଏ ପାଇଁ ଯେତେ କହିଲେ ବି ଶୁଣିବାକୁ କେହି ନାହିଁ। କାହିଁକି ଏ ଗରିବ, ଆଦିବାସୀ, ଅସହାୟଙ୍କୁ ଘର ମିଳିନାହିଁ, ତା’ର ଉତ୍ତର କାହା ପାଖରେ ନାହିଁ। ଏମିତି ବି ଲୋକ ଅଛନ୍ତି, ଏପରି ବି ଗାଁ ଅଛି, ଏ କଥା ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ। ଭଗବାନଙ୍କ ଭରସାରେ ଗାଁ। ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଶା” ନଜରକୁ ଆସିଛି ଏ ସମସ୍ୟା। “ଆଶା” ଲେଖିଛି ସରକାରଙ୍କୁ ଏହି ଘୁଙ୍ଗି ଗାଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ। ତେଣୁ, ସ୍ଥାନୀୟ ଲୋକେ ଓ “ଆଶା” ଆଶା ରଖିଛନ୍ତି – ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ଶୁଣିବେ ଓ ତାଙ୍କ ଦୁଃଖ ଦୂରହେବ। ଦେଖାଯାଉ, ସରକାର ଏ ଦୁଃଖି, ଗରିବ, ଅସହାୟ ଆଦିବାସୀଙ୍କ ଦୁଃଖ ଶୁଣୁଛନ୍ତି କେବେ।
Sign in
Sign in
Recover your password.
A password will be e-mailed to you.
Next Post