– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଜର କଷ୍ଟ ଉପାର୍ଜିତ ଧନକୁ ଲୋକମାନେ ବ୍ୟାଙ୍କ କିମ୍ବା ଡାକଘରେ ସଞ୍ଚୟ ଖାତାରେ ଜମା କରି ନିଶ୍ଚିନ୍ତ ଭାବେ ରହିଥାନ୍ତି। କିନ୍ତୁ ଯଦି ସେହି ପଇସା କୌଣସି ବି କାରଣରୁ ବାଟମାରଣା ହୋଇଯାଏ , ତେବେ ସମସ୍ତେ ବ୍ୟାଙ୍କ ତଥା ଡାକଘର ଉପରୁ ଆସ୍ଥା ହରାଇଥାନ୍ତି।
ସେହିଭଳି ଏକ ଖବର ପାଇ ପାରଳାଖେମୁଣ୍ଡି ପୂର୍ବ ପ୍ରାନ୍ତର ତତ୍କାଳୀନ ସବ ଡିଭିଜନାଲ ଇନ୍ସପେକ୍ଟର ସୁରେନ୍ଦ୍ର ନାଥ ପଣ୍ଡା ତା ୧୨-୦୨-୧୯୯୯ରିଖରେ ତତ୍କାଳୀନ ଖଜୁରିପଦାର ବ୍ରାଞ୍ଚ ପୋଷ୍ଟ ମାଷ୍ଟର କାର୍ତ୍ତିକେଶ୍ୱର ପାଇକଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଭଳି ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ ଯେ , ସେ ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର କରି ସତଚାଳିଶ ହଜାର ଦୁଇଶହ ଏକଚାଳିସ ଟଙ୍କା ଆତ୍ମସାତ କରିଛନ୍ତି। ଏ ନେଇ ଏକ ମାମଲା ସେ ସମୟରେ ସେରଙ୍ଗ ଥାନାରେ ରୁଜୁ ହୋଇଥିଲା ଓ ସବ ଇନ୍ସପେକ୍ଟର କେ.ଭି.ଆର.ନାଇଡୁ ଓ ବିଷ୍ଣୁପଦ ମହନ୍ତ ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ। ପରେ ଉକ୍ତ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
କିନ୍ତୁ ସେ ଏହା ବିରୁଦ୍ଧରେ ଜିଲ୍ଲା ଅଦାଲତରେ ଅପିଲ କରି ପୁନର୍ବାର ନୂଆ ଭାବେ ସାକ୍ଷୀ ପ୍ରମାଣ ଆରମ୍ଭ କରିବାକୁ କୋର୍ଟରେ ଆବେଦନ କରିଥିଲେ ଓ ପୁନର୍ବାର ମୂଳରୁ ବିଚାରଣା କରିବା ପାଇଁ ମାନ୍ୟବର ଅଦାଲତ ବି ନିର୍ଦ୍ଦେଶ ଦେଇଥିଲେ।
ଆଜି ୧୨ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ଆର. ଉଦୟଗିରିର ମାନ୍ୟବର ସିନିୟର ସିଭିଲ ଜଜ୍ ଶ୍ରୀମତି ସୌଦାମିନୀ ବିଶ୍ୱାଳ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୦୯ ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର ସଶ୍ରମ କାରାଦଣ୍ଡ ଦେବା ସହ ୨ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ସହ ଉପରୋକ୍ତ ପଇସା ପଇଠ ନ କରିପାରିଲେ ଅତିରିକ୍ତ ୬ମାସର ସଶ୍ରମ କାରାଦଣ୍ଡ ଭୋଗ କରିବେ ବୋଲି ଆଦେଶ ଦେଇଛନ୍ତି।
ଘଟଣାର ଗମ୍ଭୀରତାକୁ ନଜରରେ ରଖି ପ୍ରସିକ୍ୟୁସନ ବିଭାଗର ଉପନିର୍ଦେଶକ ଅଜିତ ପଟ୍ଟନାୟକ ଓ ସହ ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ହରିକୃଷ୍ଣ ପ୍ରଧାନ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ଖବର ପାଇ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଶ୍ରୀ ପ୍ରଧାନଙ୍କର କାର୍ଯ୍ୟକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.