ମାଲକାନଗିରି,(ସୁରେନ୍ଦ୍ର କୁମାର ବେମାଳ), ୨୧/୧୧ : ମାଲକାନଗିରି ଜିଲ୍ଲା ପାଇଁ ପୁଣି ଗର୍ବର ମୁହୂର୍ତ୍ତ । ଜିଲ୍ଲାର ଯୁବ କ୍ରିକେଟର ସୁବୀର ସର୍ଦ୍ଦାର ଓଡ଼ିଶା U-23 ପୁରୁଷ T20 ଦଳରେ ଚୟନ ହୋଇଛନ୍ତି । BCCI ଘରୋଇ ସିଜନ ୨୦୨୬-୨୭ ପାଇଁ ଘୋଷିତ ଏହି ଦଳରେ ସ୍ଥାନ ପାଇ ସେ ଜିଲ୍ଲାର ନାମ ରାଜ୍ୟ ସ୍ତରରେ ପୁଣି ଥରେ ଉଜ୍ଜ୍ୱଳ କରିଛନ୍ତି ।
ସୁବୀର ଏହା ପୂର୍ବରୁ ମଧ୍ୟ ଓଡ଼ିଶା U-23 ଦଳରେ ଖେଳି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ତାଙ୍କର ନିରନ୍ତର ପରିଶ୍ରମ, ଶୃଙ୍ଖଳା ଓ କ୍ରିକେଟ୍ ପ୍ରତି ନିଷ୍ଠା ତାଙ୍କୁ ଏହି ସଫଳତା ଦେଇଛି । ଏମ୍ଭି-୭୯ ସାବରୀ କ୍ରିକେଟ୍ କ୍ଲବର ପ୍ରତିଭାବାନ ଖେଳାଳି ଭାବେ ସୁବୀର ଦୀର୍ଘ ଦିନ ଧରି ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ।
ସୁବୀରଙ୍କ ଏହି ସଫଳତା ଜିଲ୍ଲା ସମେତ କାଲିମେଳା ଓ ଏମ୍ଭି-୭୯ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି କରିଛି । ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ କ୍ରିକେଟ୍ରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛନ୍ତି । ଉପଯୁକ୍ତ ପ୍ରଶିକ୍ଷଣ, ଆନୁଷଙ୍ଗିକ ଭିତ୍ତିଭୂମି ଓ ସୁଯୋଗ ମିଳିଲେ ଏହି ଅଞ୍ଚଳର ଯୁବକମାନେ ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ ବୋଲି ସୁବୀରଙ୍କ ଏହି ଚୟନ ପ୍ରମାଣ କରିଛି ।
ସୁବୀରଙ୍କ ଏହି ସଫଳତା ଏହାର ଏକ ପ୍ରେରଣାଦାୟକ ଉଦାହରଣ । ତାଙ୍କ ଚୟନକୁ ନେଇ ଜିଲ୍ଲା କ୍ରିକେଟ୍ ଆସୋସିଏସନ, ମାଲକାନଗିରି ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ଆଗାମୀ ଦିନରେ ସେ ନିଜର ବ୍ୟାଟିଂ ଓ ବୋଲିଂରେ ଆହୁରି ସଫଳତା ହାସଲ କରି ମାଲକାନଗିରି ଜିଲ୍ଲା ତଥା ଓଡ଼ିଶାର ଗୌରବ ବଢ଼ାଇବେ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି ।