ବିଜେପୁର : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ଜଣାଶୁଣା କୋଶଲ ସଂଗଠକ ତଥା ସମ୍ବଲପୁରୀ-କୋଶଳୀ ଭାଷା ଓ ସାହିତ୍ୟର ଅନ୍ୟତମ ପ୍ରଚାରକ ସାକେତ ଶ୍ରୀଭୂଷଣ ସାହୁଙ୍କ ଅନ୍ତିମ ସଂସ୍କାରରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ସାକେତ ଶ୍ରୀଭୂଷଣ ସାହୁଙ୍କ ଆକସ୍ମିକ ବିୟୋଗ କୋଶଲ ସାହିତ୍ୟ, ଆଞ୍ଚଳିକ ଭାଷା ଆନ୍ଦୋଳନ ଓ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି। ଅସୁସ୍ଥତା କାରଣରୁ ତାଙ୍କୁ ବରଗଡ଼ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।ସମ୍ବଲପୁରୀ-କୋଶଳୀ ଭାଷାର ସ୍ୱତନ୍ତ୍ର ପରିଚୟ, ସାହିତ୍ୟିକ ବିକାଶ ଏବଂ ଜନସାଧାରଣଙ୍କ ମଧ୍ୟରେ ଭାଷା ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି କରିବାରେ ସାକେତ ସାହୁଙ୍କ ଅବଦାନ ଉଲ୍ଲେଖନୀୟ ଥିଲା।

ତାଙ୍କ ସମ୍ପାଦନାରେ ସମ୍ବଲପୁରୀ ଭାଷାର ପତ୍ରିକା ‘ବେନି’ ପ୍ରକାଶିତ ହେଉଥିଲା। ଭାଷା ଓ ସାହିତ୍ୟର ପ୍ରଚାର-ପ୍ରସାର ସହ କୋଶଲ ଆନ୍ଦୋଳନକୁ ସୁଦୃଢ଼ କରିବା ଦିଗରେ ସେ ନିରନ୍ତର କାର୍ଯ୍ୟ କରିଥିଲେ।ତାଙ୍କ ବିୟୋଗ ଖବର ପ୍ରଚାର ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶୋକର ବାର୍ତ୍ତା ପ୍ରକାଶ ପାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଯାଇଛି।ଅନ୍ତିମ ସଂସ୍କାରରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ଯୋଗଦେଇ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ବଡ଼ଭାଇ ସରୋଜ ଶ୍ରୀଭୂଷଣ ସାହୁ ମୁଖାଗ୍ନି ଦେଇଥିଲେ।