ତାଳପଦର ପିଡିଏସ ଚାଉଳ ଗୋଦାମର ଛାତରୁ ପାଣି ବୋହୁଛି

0 1

ଚାଉଳ ସୁରକ୍ଷା ନେଇ ଚିନ୍ତା, ଶୀଘ୍ର ମରାମତି ଦାବି କଲେ ଗ୍ରାମବାସୀ

ବିଜେପୁର:- ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧୀନସ୍ଥ ତାଳପଦର ଗ୍ରାମ ପଂଚାୟତରେ ଥିବା ପିଡିଏସ ଚାଉଳ ବଣ୍ଟନ ଗୋଦାମର ଅବସ୍ଥା ଦିନକୁ ଦିନ ଜର୍ଜରିତ ହେଉଛି। କୋଠାର ଛାତରୁ ପାଣି ବୋହିବାରୁ ସରକାରୀ ଚାଉଳ ସୁରକ୍ଷା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ସୃଷ୍ଟି ହୋଇଛି।ଛାତରେ ଲଗାଯାଇଥିବା ଆଡବେଷ୍ଟର ପତ୍ରମାନେ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ଝୁଲିରହିଥିବାରୁ, ଯେକୌଣସି ସମୟରେ ଦୁର୍ଘଟଣା ଘଟିପାରେ ବୋଲି ଆଶଙ୍କା କରାଯାଉଛି।
କିଛିଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଛାତରେ ଆଡବେଷ୍ଟର ପତ୍ର ଲଗାଯାଇଥିଲା। କିନ୍ତୁ ସମ୍ପ୍ରତିକ ବର୍ଷା ସହିତ ପବନର ବେଗରେ ସେଗୁଡିକ ଖସିପଡି, ପୁଣିଥରେ ଛାତରୁ ପାଣି ବୋହିବା ସମସ୍ୟା ଆରମ୍ଭ ହୋଇଛି। ବର୍ଷାର ପାଣି ଗୋଦାମ ଭିତରକୁ ପସିବାରୁ ଚାଉଳରେ ଆର୍ଦ୍ରତା ପଡ଼ି, ସେଥିର ଗୁଣବତ୍ତା ରକ୍ଷା କରିବା ଦୁର୍ହର ହୋଇପଡ଼ିଛି।
ଗ୍ରାମବାସୀମାନେ କହୁଛନ୍ତି –“ଗରିବ ଲୋକଙ୍କ ପାଇଁ ସରକାର ଯୋଗାଇଥିବା ଚାଉଳ, ଯଦି ପାଣିରେ ନଷ୍ଟ ହୋଇଯାଏ, ତେବେ ଲୋକମାନେ ପାଇବେ କିପରି? ସେଥିପାଇଁ ଅଧିକାରୀମାନେ ଶୀଘ୍ର ମରାମତି କରିବା ଆବଶ୍ୟକ।”
ସଚେତନ ନାଗରିକମାନେ ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର ପଦକ୍ଷେପ ନେଇ କୋଠାର ଛାତକୁ ସୁରକ୍ଷିତ ମରାମତି କରାଇବାକୁ ଦାବି କରିଛନ୍ତି। ନହେଲେ ଚାଉଳରେ ବିପୁଳ କ୍ଷତି ସହିତ ବଣ୍ଟନରେ ଗୁରୁତର ଅସୁବିଧା ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.